କେବଳ ପୁରୀରେ ହେବ ରଥ ଯାତ୍ରା: ବଡଦାଣ୍ଡରେ ଗଡିବ ରଥ, ଟାଣି ପାରିବେନି ଭକ୍ତ

Published By : Prameya-News7 Bureau | June 22, 2020 IST

ପୁରୀ ୨୨।୦୬: ବଡ ଦାଣ୍ଡରେ ଗଡିବ ତିନି ରଥ। ଶେଷରେ ପୂରଣ ହୋଇଛି ବିଶ୍ଵର ଅଗଣିତ ଜଗନ୍ନାଥଙ୍କ ପ୍ରେମୀଙ୍କ ଇଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ଘୋଷ ଯାତ୍ରା ନେଇ ସୁପ୍ରିମକୋର୍ଟରୁ ଆସିଛି ମହତ୍ଵପୂର୍ଣ୍ଣ ନିଷ୍ପତ୍ତି। ସର୍ବୋଚ୍ଚ ନ୍ୟାୟାଳୟର ତିନି ଜଣିଆ ଖଣ୍ଡପୀଠ କେବଳ ପୁରୀରେ ରଥ ଯାତ୍ରା ଆୟୋଜନ ନେଇ ଅନୁମତି ଦେଇଛନ୍ତି। ରଥ ଯାତ୍ରା ଆୟୋଜିତ କରିବା ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ସରକାରଙ୍କ ଉପରେ ଛାଡିଛନ୍ତି ମାନ୍ୟବର ଅଦାଲତ। ବିନା ଭକ୍ତରେ ଏବଂ କୋଭିଡ୍-୧୯ ଆଇନ୍‌ ଅନୁଯାୟୀ ପୂରା କଟକଣା ସହିତ ରଥ ଯାତ୍ରା ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ।

ଆଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବେଡଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଗୁରୁତ୍ଵପୂର୍ଣ୍ଣ ତଥା ସମ୍ବେଦନଶୀଳ ମାମଲାର ଶୁଣାଣି କରିଥିଲେ। କୋର୍ଟ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରଥ ଯାତ୍ରା ଆୟୋଜନ ନେଇ ଅନୁମତି ଦେଇଛନ୍ତି। ହେଲେ ଏଥର ଘୋଷ ଯାତ୍ରା ବିନା ଭକ୍ତରେ ହେବ। ବଡଦାଣ୍ଡର ଭକ୍ତ ରଥ ଟାଣି ପାରିବେ ନାହିଁ। ସିଧାପ୍ରସାରଣରେ ସେମାନେ ଚଳିତ ବର୍ଷ ରଥ ଯାତ୍ରା ଦେଖିବେ।  ତିନି ଜଣିଆ ଖଣ୍ଡପୀଠରେ ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏସଏ ବୋପାନ୍ନା ଓ ଜଷ୍ଟିସ୍ ଦିନେଶ ମାହେଶ୍ଵରୀ ସାମିଲ।

{"id":290055,"sizeSlug":"large"}

ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣ କାରଣରୁ ପୁରୀ ରଥ ଯାତ୍ରା ଉପରେ ରୋକ୍ ଲଗାଇବା ବିରୋଧରେ ସୁପ୍ରିମକୋର୍ଟରେ ଅନେକ ଯାଚିକା ଦାଖଲ ହୋଇଥିଲା। ଏହି ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ  ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା କୋର୍ଟରେ ରଥ ଯାତ୍ରାକୁ ଅନୁମତି ଦେବାକୁ କହିଥିଲେ। କୌଣସି ପ୍ରକାରର ପ୍ରସଙ୍ଗରେ ସାଲିସ୍ କରାଯିବା ଉଚିତ୍ ନୁହେଁ  ବୋଲି କହିଥିଲେ। ଲୋକଙ୍କ ସ୍ଵାସ୍ଥ୍ୟର ସୁରକ୍ଷାକୁ ଧ୍ୟାନରେ ରଖାଯାଇ ଏହାର ଆୟୋଜନ କରାଯିବ। ପୂରା ଓଡିଶା ନୁହେଁ କେବଳ ପୁରୀରେ ରଥ ଯାତ୍ରା ପାଇଁ ଅନୁମତି ଦିଆଯାଉ। ସଲିସିଟର ଜେନେରାଲ କହିଛନ୍ତି ଆମେ ଶଙ୍କରାଚାର୍ଯ୍ୟଙ୍କ ସହ ବିଚାର ବିମର୍ଶ କରୁଛୁ କାରଣ ସେ ସର୍ବୋଚ୍ଚ ଧାର୍ମିକ ଗୁରୁ।

ଅନ୍ୟପଟେ  ଓଡିଶା ସରକାରଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ହରିଶ ସାଲଭେ କହିଥିଲେ ଦରକାର ପଡିଲେ କର୍ଫ୍ୟୁ ଲଗାଯିବ। ତେଣୁ ରଥ ଯାତ୍ରା ଲାଗି ଅନୁମତି ଦିଆଯାଉ। କୋଭିଡ୍ ନେଗେଟିଭ୍ ଥିବା ସେବାୟତ କିମ୍ବା ପୋଲିସକର୍ମୀ ରଥ ଟାଣିବେ।

{"id":290058,"sizeSlug":"large"}

ସୁପ୍ରିମକୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ଆସିବା ପରେ ଅଗଣିତ ଜଗନ୍ନାଥପ୍ରେମୀଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି। ପୁରୀରେ ଅଦିନିଆ ଦୀପାବଳିର ମାହୋଲ ରହିଛି। ସେବାୟତ, ଭୂଇଁ ସେବାୟତ, ରଥ ନିର୍ମାଣରେ ନିୟୋଜିତ କାରିଗରଠୁ ନେଇ ସବୁ ବର୍ଗର ଲୋକ କୋର୍ଟଙ୍କ ଏହି ରାୟକୁ ସ୍ଵାଗତ କରିଛନ୍ତି। ରଥ ଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ କହିଛନ୍ତି ଯେ, ରଥଯାତ୍ରା ନେଇ ଶ୍ରୀକ୍ଷେତ୍ର ଧାମ ସଂପୂର୍ଣ୍ଣ ପ୍ରସ୍ତୁତ। ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପୁରୀ ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଜୁନ ୧୮ର ଆଦେଶରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରାକୁ ଅନୁମତି ଦେଇନଥିଲେ। ଜୁନ ୨୩ରେ ହେବାକୁ ଥିବା ରଥ ଯାତ୍ରା ଉପରେ ରୋକ୍ ଲଗାଇଥିଲେ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଓଡିଶା ବିକାଶ ସମିତି ପକ୍ଷରୁ ଆବେଦନ ଦାଖଲ କରାଯାଇଥିଲା। ଏହି ଆବେଦନକୁ ଓଡିଶା ସରକାର ଓ କେନ୍ଦ୍ର ସରକାର ସମର୍ଥନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.