ଶ୍ରୀମନ୍ଦିରର ରୋଷଘର ଓ ଆନନ୍ଦ ବଜାରର ପରିଷ୍କାର ପରିଚ୍ଛନ୍ନତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମହାପ୍ରସାଦର ମାନ ବୃଦ୍ଧି ପାଇବା ନେଇ ଆଶା

Published By : Prameya-News7 Bureau | November 27, 2019 IST

ପୁରୀ ୨୭।୧୧: ଶ୍ରୀମନ୍ଦିରର ରୋଷଘର ଓ ଆନନ୍ଦ ବଜାରର ପରିଷ୍କାର ପରିଚ୍ଛନ୍ନତା ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରୋଷଶାଳାରେ ରନ୍ଧନ ସାମଗ୍ରୀ ଗୁଡ଼ିକ ସମ୍ପୂର୍ଣ୍ଣ ପରିଚ୍ଛନ୍ନତା ସହ ମହାପ୍ରସାଦ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏପରିକି ଆନନ୍ଦ ବଜାରରେ ମଧ୍ୟ ପରିମଳ ବ୍ୟବସ୍ଥାର ଉନ୍ନତି କରିବା ସହ ମହାପ୍ରସାଦର ଦର ତାଲିକା ଉଲ୍ଲେଖ କରିବାକୁ କୋର୍ଟ କହିଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ଏପରି ସଂସ୍କାରମୂଳକ ନିର୍ଦ୍ଦେଶକୁ ସବୁ ସ୍ତରରେ ସ୍ବାଗତ କରାଯାଇଛି।

{"id":190653,"sizeSlug":"large"}

ଶ୍ରୀମନ୍ଦିର ଭିତରେ ରହିଛି ପୃଥିବୀର ସବୁଠାରୁ ବଡ଼ ଆଉ ବୃହତ୍ ରୋଷଶାଳା । ପ୍ରାୟ ୨୫୦ ଟି ଚୁଲା ଥିବା ଏହି ରୋଷଶାଳାରେ ପ୍ରାୟ ୧୦ ହଜାରରୁ ଏକଲକ୍ଷ ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି କରିବାର କ୍ଷମତା ରହିଛି। ତେବେ ଏହି ରୋଷଘର ମହାପ୍ରସାଦ ପ୍ରସ୍ତୁତି ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନତା ସହ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଗତ ନଭେମ୍ବର ୪ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ୨୨ ଗୋଟି ନିର୍ଦ୍ଦେଶାବଳୀ ମଧ୍ୟରେ କୋର୍ଟ ଏସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ମହାପ୍ରସାଦ ପ୍ରସ୍ତୁତି ପାଇଁ ଆସୁଥିବା ଖୋଲା ସାମଗ୍ରୀ ଖୋଲା ଆକାଶ ତଳେ କରାଯାଉଥିବା ନେଇ ଆମିକସ୍ କ୍ୟୁରୀ ପ୍ରଶ୍ନ ଉଠାଇଛନ୍ତି।

{"id":190654,"sizeSlug":"large"}

ସେହିପରି ଆନନ୍ଦ ବଜାରରେ ମଧ୍ୟ ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଆନନ୍ଦ ବଜାର ଓ ରୋଷଘର ଉପରେ ଥିବା ଖୋଲା ଛାତକୁ ଢ଼ାଙ୍କିବା ପାଇଁ ଏଏସଆଇକୁ ମଧ୍ୟ ପରାମର୍ଶ ଦିଆଯାଇଛି। ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ଶ୍ରୀମନ୍ଦିର ସେବାୟତ ଓ ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି।

{"id":190655,"sizeSlug":"large"}

ଆନନ୍ଦ ବଜାରରେ ବିକ୍ରି ହେଉଥିବା ମହାପ୍ରସାଦର ମାନକୁ ନେଇ ମଧ୍ୟ ଅଭିଯୋଗ ଆସୁଥିବାରୁ ଏନେଇ ପଦକ୍ଷେପ ନେବାକୁ କହିଛନ୍ତି କୋର୍ଟ। ମହାପ୍ରସାଦ ବିକ୍ରି ସ୍ବାସ୍ଥ୍ୟକର ଭାବେ କରିବା ସହ ଏହାର ଦର ତାଲିକା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ମଧ୍ୟ କୋର୍ଟ କହିଛନ୍ତି। ଗତବର୍ଷ ମଧ୍ୟ ସୁଆର ନିଯୋଗ ସହ ପ୍ରଶାସନ ଆଲୋଚନା କରି ଏକ ଦର ତାଲିକା ପ୍ରସ୍ତୁତ କରାଯାଇଥିଲା। ତେବେ ଏହା ଏଯାବତ୍ ଲାଗୁ କରାଯାଇନାହିଁ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆନନ୍ଦ ବଜାରରେ ମିଳୁଥିବା ମହାପ୍ରସାଦର ମାନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେଣୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସମସ୍ତଙ୍କ ସହ ଆଲୋଚନା କରାଯାଇ ଲାଗୁ କରାଯାଉ ବୋଲି ଭକ୍ତ ଓ ଶ୍ରଦ୍ଧାଳୁ ଦାବି କରିଛନ୍ତି।

{"id":190656,"sizeSlug":"large"}

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆନନ୍ଦବଜାରରେ ସ୍ବଚ୍ଛତା ଓ ଶୃଙ୍ଖଳା ଆସିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.