ନୂଆଦିଲ୍ଲୀ ୧୨।୬: କରୋନା ସଂକଟ ଯୋଗୁ ଋଣ କିସ୍ତି (ଇଏମଆଇ) ଆଦାୟ ନ କରିବା ଲାଗି ଆରବିଆଇ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ପ୍ରଥମେ ୩ ମାସ ମୋରାଟୋରିୟମ ଘୋଷଣା କରାଯାଇଥିବା ବେଳେ ଏବେ ଆଉ ୩ ମାସ ସମ୍ପ୍ରସାରଣ ହୋଇଛି। ତେବେ ଏହି ଅବଧିରେ ବ୍ୟାଙ୍କମାନେ ଋଣ କିସ୍ତିରେ ସୁଧ ଓ ତାର ସୁଧ ନେବେକି ନା ସେ ନେଇ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁକ୍ରବାର ଶୁଣାଣି ହୋଇଛି।
ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଏସ୍.କେ.କୌଲ ଓ ଜଷ୍ଟିସ ଏମ୍.ଆର. ସାହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କୁ ବୈଠକ କରି ମୋରାଟୋରିୟମ ଅବଧିରେ ଇଏମଆଇ ଉପରେ ହେଉଥିବା ସୁଧ ବ୍ୟାଙ୍କ ଗ୍ରାହକଙ୍କ ଠାରୁ ନେବେ କି ନା ସେ ନେଇ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି। ଏଥିଲାଗି କୋର୍ଟ ସରକାର ଓ ଆରବିଆଇଙ୍କୁ ୫ ଦିନ ସମୟ ଦେଇଛନ୍ତି। ମାମଲାର ଆଗାମୀ ଶୁଣାଣି ଜୁନ ୧୭ ତାରିଖରେ ହେବ।
ମାମଲାର ଶୁଣାଣିରେ କୋର୍ଟ ସୁଧ କ୍ଷମା କରିବା ଲାଗି ଆମେ କହୁନୁ ଟାଳିବା ସମ୍ପର୍କରେ ଏଠାରେ ଆଲୋଚନା କରୁଥବା କହିଥିଲେ। ଉପୁଜିଥିବା ପରିସ୍ଥିତିରେ ଆରବିଆଇଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟାଙ୍କମାନେ ଋଣ କିସ୍ତି ଲାଗି କାହାରିକୁ ବାଧ୍ୟ କରୁନାହାନ୍ତି। ତେବେ ଏହି ଅବଧିରେ ଇଏମଆଇ ଉପରେ ହେଉଥିବା ସୁଧ ନେଇ ସରକାର ଓ ଆରବିଆଇ କ’ଣ ବ୍ୟବସ୍ଥା କରିଛନ୍ତି ତାହା ଜାଣିବାକୁ ଚାହିଁଥିଲେ।
ଆରବିଆଇଙ୍କ ନିଷ୍ପତ୍ତି ଯୋଗୁ ଇଏମଆଇ ୬ ମାସ ଆଗକୁ ଘୁଞ୍ଚିବା ଲୋକଙ୍କୁ ଆଶ୍ୱସ୍ତ କରିଛି। ତେବେ ଇଏମଆଇ ଯଦି ୬ ମାସ ଲାଗି ଆଗକୁ ଘୁଞ୍ଚାଯାଇପାରୁଛି ଏହି ସମୟରେ ଦେୟ ରାଶି ଉପରେ ବ୍ୟାଙ୍କ ସୁଧ ଓ ସୁଧ ଉପରେ ସୁଧ ଯୋଡିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ତେବେ କୋର୍ଟ ସ୍ପଷ୍ଟ କରଦେଇଛନ୍ତି ଯେ ଏହା କେବଳ ସୁଧ ଉପରେ ସୁଧ ପର୍ଯ୍ୟନ୍ତ ସୀମିତ। ଏହାର ଅର୍ଥ ଏହି ୬ ମାସ ଲାଗି ବ୍ୟାଙ୍କ ସୁଧ ସ୍ଥଗିତ କରିପାରିବେ କି ? ତେବେ ଏସବିଆଇଙ୍କ ସମେତ ସମସ୍ତ ବ୍ୟାଙ୍କ ସୁଧ ଛାଡ କରିପାରିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଦେଇଛନ୍ତି। ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟରେ ମାମଲା ପରିଚାଳନା କରିଥିଲେ।
ସୂଚନା ଯୋଗ୍ୟଯେ କରୋନା ଭାଇରସ ଓ ତତ୍ ଜନିତଲକଡାଉନ୍ କାରଣରୁ ଆରବିଆଇ ୬ ମାସ ପର୍ଯ୍ୟନ୍ତ ଇଏମଆଇ ଅସୁଲ ନ କରିବା ଲାଗି ଘୋଷଣା କରିଛନ୍ତି। ଏଥିଲାଗି ଋଣ ଚୁକ୍ତି ଅବଧିକୁ ଅଧିକ ୬ ମାସ ସମ୍ପ୍ରସାରିତ କରାଯିବ। ତେବେ ଏହି ସମୟରେ ହେଉଥିବା ସୁଧ ନେଇ କୌଣସି ଘୋଷଣା କରିନାହାନ୍ତି। ଯେଉଁଥିଲାଗି ମାମଲା ଏବେ କୋର୍ଟରେ ପହଞ୍ଚିଛି।