ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ମାମଲା : ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ, ନଭେମ୍ବର ୧୪ରେ ପରବର୍ତ୍ତି ଶୁଣାଣି

Published By : Prameya-News7 Bureau | October 01, 2019 IST

ନୂଆଦିଲ୍ଲୀ ୧।୧୦: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟରେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ସମସ୍ତ ଆବେଦନ ଉପରେ ନିଜ ଜବାବ ଦାଖଲ କରିବାକୁ ୪ସପ୍ତାହ ସମୟ ମାଗିଥିଲେ । କୋର୍ଟ କେନ୍ଦ୍ରକୁ ୪ସପ୍ତାହ ସମୟ ଦେଇଛନ୍ତି । ଫଳରେ ନଭେମ୍ବର ୧୪ରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।

ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ କେତେକ ପିଟିସନ୍‍କୁ ଖଣ୍ଡପୀଠ ସାମ୍ବିଧାନିକ ବେଞ୍ଚ୍‍ ନିକଟକୁ ପଠାଇଥିଲେ । ଏହି ଆବେଦନଗୁଡ଼ିକ ଉପରେ ଆଜି ଶୁଣାଣି ହୋଇଛି ।

ଜଷ୍ଟିସ ଏନ.ଭି ରମନ୍ନାଙ୍କ ଅଧକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲା ଶୁଣାଣି କରିବେ। ଅନ୍ୟ ୪ ଜଣଙ୍କ ଭିତରେ ଜଷ୍ଟିସ ଏସ.କେ. କୌଲ, ଜଷ୍ଟିସ୍ ଆର. ସୁବାସ ରେଡ୍ଡୀ, ଜଷ୍ଟିସ୍ ବି.ଆର. ଗଓ୍ବାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି । ଏହି ଖଣ୍ଡପୀଠ ୩୭୦ ହଟାଇବାର ସମ୍ବିଧାନିକ ବୈଧତା ଏବଂ ଏହା ଉପରେ ଜାରି ହୋଇଥିବା ରାଷ୍ଟ୍ରପତିଙ୍କ ଆଦେଶର ବୈଧତା ଉପରେ ନଭେମ୍ବର ୧୪ରେ ଶୁଣାଣି କରିବେ। ଧାରା ୩୭୦ ଉଚ୍ଛେଦ, ଜମ୍ମୁକାଶ୍ମୀର ଓ ଲଦାଖକୁ ୨ଟି କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‍ କରି ଅନେକ ପିଟିସନ୍‍ ଦାଖଲ କରାଯାଇଛି।

ଏହି ସବୁ ମାମଲାର ଶୁଣାଣି କରିବାକୁ ଗତ ଅଗଷ୍ଟ ୨୮ରେ ରାଜି ହୋଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲା ଗୁଡିକର ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ମାମଲାକୁ ୫ ଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତରିତ କରିଥିଲେ। ଏହା ସହ ଜମ୍ମୁ କାଶ୍ମୀରରେ ଦୂରସଂଚାର ବ୍ୟବସ୍ଥାର ବନ୍ଦ ନେଇ ଜାମ୍ମୁ କାଶ୍ମୀର ପ୍ରସାଶନ ଓ କେନ୍ଦ୍ର ସରକାରକୁ ନୋଟିସ୍ ଜାରି କରିଥିଲେ । ଏହାର ଜବାବ ୭ ଦିନ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ  ଦେଇଥିଲେ ସିଜେଆଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.