ଫାଶୀର ଦିନକ ପୂର୍ବରୁ ନିର୍ଭୟା ଦୋଷୀ ପଓ୍ବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନ୍ ଖାରଜ

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୩: ଫାଶୀର ଦିନକ ପୂର୍ବରୁ ନିର୍ଭୟା ଦୋଷୀ ପଓ୍ବନ ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟରୁ ଦୋଷୀ ପଓ୍ବନ ଗୁପ୍ତାକୁ ଲାଗିଛି ଝଟକା । ପବନର କ୍ୟୁରେଟିଭ ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ପଓ୍ବନ ଗୁପ୍ତା ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଯେ ୨୦୧୨ ମସିହାରେ ଯେତେବେଳେ ଏହି କାଣ୍ଡ ଘଟିଥିଲା ସେତେବେଳେ ସେ ନାବାଳକ ଥିଲା । ତେଣୁ ତା’ର ଫାଶୀ ଦଣ୍ଡାଦେଶକୁ ବଦଳାଇ ଆଜୀବନ ସଜା କରାଯାଉ । ଯାହାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ନିର୍ଭୟା ଦୋଷୀ ପଓ୍ବନ ଗୁପ୍ତା ସୁପ୍ରିମକୋର୍ଟରେ ପୁର୍ନବିଚାର ଆବେଦନ ଦାଖଲ କରିଥିଲେ । ସେତେବେଳେ ମଧ୍ୟ ଅପରାଧ ସମୟରେ ସେ ନାବାଳକ ଥିବା ନେଇ ଦର୍ଶାଇ ଡେଥ୍ ଓ୍ବାରେଣ୍ଟକୁ ଖାରଜ କରିବାକୁ ନେଇ ଆବେଦନ କରିଥିଲେ । ସେତେବେଳେ ମଧ୍ୟ ସୁପ୍ରିମକୋର୍ଟ ପଓ୍ବନର ଆବେଦନ ଖାରଜ କରିଦେଇଥିଲେ ।

ଚଳିତ ବର୍ଷ ମାର୍ଚ୍ଚ ୫ତାରିଖରେ ଟ୍ରାଏଲ କୋର୍ଟ ମାର୍ଚ୍ଚ ୨୦ ତାରିଖ ୫ଟା ୩୦ମିନିଟ୍ ରେ ଫାଶୀ ଦେବା ଲାଗି ନୂଆ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଏହି ମାମଲାରେ ଚାରିଜଣ ଦୋଷୀ ମୁକେଶ ସିଂ (୩୨), ପୱନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଏବଂ ଅକ୍ଷୟ କୁମାର ସିଂ (୩୧)ଙ୍କୁ ଫାଶୀ ଦିଆଯିବ ।

ଦୋଷୀମାନଙ୍କ ବିରୋଧରେ ଏହା ହେଉଛି ଚତୁର୍ଥ ଡେଥ୍ ୱାରେଣ୍ଟ । ଏହା ପୂର୍ବ ତିନୋଟି ଡେଥ୍ ୱାରେଣ୍ଟକୁ ଦୋଷୀମାନଙ୍କ ଦ୍ବାରା ଆଇନଗତ ପ୍ରତିକାର ଶେଷ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.