ସୁପ୍ରିମକୋର୍ଟରେ ତେଜ୍ ବାହାଦୂରଙ୍କ ପିଟିସନ ଖାରଜ, ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ହୋଇପାରିବେନି ପ୍ରାର୍ଥୀ

Published By : Prameya-News7 Bureau | May 09, 2019 IST

ନୂଆଦିଲ୍ଲୀ ୯।୫ :  ପୂର୍ବତନ ବିଏସ୍ଏଫ ଜବାନ ତେଜ୍ ବାହାଦୂର ଯାଦବଙ୍କ ପ୍ରାର୍ଥୀପତ୍ର ନାକଚ ସମ୍ବଦ୍ଧିତ ମାମଲା ଗୁରୁବାର  ସୁପ୍ରିମକୋର୍ଟରେ  ଅଗ୍ରାହ୍ୟ ହୋଇଯାଇଛି । ଫଳରେ ବାରଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହେବା ଲାଗି  ତେଜ୍ ବାହାଦୂରଙ୍କ ଶେଷ ଆଶା ମଉଳି ଯାଇଛି। ପ୍ରତିରକ୍ଷା କର୍ମଚାରୀଙ୍କୁ ଯୋଗାଇ ଦିଆଯାଉଥିବା ନିମ୍ନମାନର ଖାଦ୍ୟ ସମ୍ପର୍କିତ ଭିଡିଓ ସୋସାଲ ମିଡିଆରେ ଅପଲୋଡ କରି ବିଏସ୍ଏଫ ଜବାନ ତେଜ୍ ବାହାଦୂର ଏକଦା ଦେଶରେ ବିତର୍କ ସୃଷ୍ଟି କରିଥିଲେ। ଏଥିପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବା ସହ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିଲା। ବିଏସ୍ଏଫରୁ ବହିଷ୍କୃତ ତେଜ୍ ବାହାଦୂର ଚଳିତ ସାଧାରଣ ନିର୍ବାଚନରେ ବାରଣାସୀ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଉତ୍ତରପ୍ରଦେଶ ମହାମେଣ୍ଟ ତାଙ୍କୁ ସମର୍ଥନ ଜଣାଇଥିଲା।

{"id":110374,"width":577,"height":433}

ତେବେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟାରେ ତେଜ୍ ବାହାଦୂରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା। ସେ ଦାଖଲ କରିଥିବା ପ୍ରାର୍ଥୀପତ୍ରରେ ତାଙ୍କର ଚାକିରୀରୁ ବହିଷ୍କାର ସମ୍ପର୍କିତ ତଥ୍ୟକୁ ନେଇ ନିର୍ବାଚନ ଅଧିକାରୀ ସନ୍ଦେହ କରିବା ସହ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ବିଏସ୍ଏଫରୁ ଏନଓସି ଦାଖଲ କରିବାକୁ କହିଥିଲେ। ତେବେ ସେ ତାହା ଦାଖଲ କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ ତାକୁ ଗ୍ରହଣ କରିନଥିଲେ। ଏଣୁ ତେଜ୍ ବାହାଦୂର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଜନସ୍ବାର୍ଥ ସମ୍ବଳିତ ଆଧାରରେ ରୁଜୁ ମାମଲାରେ କୋର୍ଟ କୌଣସି ଦଖଲ ଦେଇପାରିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି ।

{"id":110396,"width":581,"height":196}

କୋର୍ଟରେ ତେଜ୍ ବାହାଦୂରଙ୍କ ପକ୍ଷରୁ ବରିଷ୍ଠ ଓକିଲା ପ୍ରଶାନ୍ତ ଭୂଷଣ ମୋକାଦ୍ଦମା ପରିଚାଳନା କରୁଥିଲେ। ତେଜ୍ ବାହାଦୂର ଦୁର୍ନୀତି ଅଥବା ଦେଶ ବିରୋଧୀ କାର୍ଯ୍ୟ ପାଇଁ ଚାକିରୀରୁ ବହିଷ୍କାର ହୋଇଛନ୍ତି କି ନା ସେ ନେଇ ନିର୍ବାଚନ ଅଧିକାରୀ ସ୍ପଷ୍ଟିକରଣ ଚାହିଁଥିଲେ। ଅନୁଶାସନ ହୀନତା ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ତେଜ୍ ବାହାଦୂର  ବିଏସ୍ଏଫର  ଆଦେଶ ନକଲ ପ୍ରଦାନ କରିବା ପରେ ମଧ୍ୟ ନିର୍ବାଚନ ଅଧିକାରୀ ତାକୁ ବିଚାରକୁ ନେଇନଥିବା ସେ ଅଭିଯୋଗ କରିଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.