କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ , EMIରେ ରିହାତି, ସୁଧରେ କାହିଁକି ନୁହେଁ?

Published By : Prameya-News7 Bureau | June 04, 2020 IST

ନୂଆଦିଲ୍ଲୀ ୪।୬: କରୋନା ସଂକଟ ଯୋଗୁ ବିଭିନ୍ନ ବ୍ୟାଙ୍କ ଋଣ ଇଏମଆଇରେ ମୋରାଟୋରିୟ ଦେଉଛନ୍ତି। ହେଲେ ସୁଧ କୋହଳ କରୁନାହାନ୍ତି। ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ମାମଲାରେ ଭାରତୀୟ ରିଜର୍ଭବ୍ୟାଙ୍କ (ଆରବିଆଇ)ଙ୍କ ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ କୋର୍ଟ ପ୍ରଶ୍ନ ଉଠାଇଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଓ ଅନ୍ୟ ପକ୍ଷଙ୍କୁ ସପ୍ତାହକ ମଧ୍ୟରେ ରିଜଏଣ୍ଡର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତି ଶୁଣାଣି ଜୁନ ୧୨ ତାରିଖରେ ହେବ।

ଆଫିଡେଭିଟ୍‌ରେ ଆରବିଆଇ କରୋନା ଯୋଗୁ କେବଳ ଋଣ ଆଦାୟ କୋହଳ କରାଯାଇଥିବା କୋର୍ଟଙ୍କୁ କହିଛନ୍ତି। ତେବେ   ସୁଧଛାଡ କରିହେବ ନାହିଁ ବୋଲି ଜଣାଇଛନ୍ତି। ଆରବିଆଇଙ୍କ ସତ୍ୟପାଠ ଉପରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ରାଜୀବ ଦତ୍ତ ସରକାରଙ୍କ ଜବାବ ଉପରେ ଆମକୁ ରିଜଏଣ୍ଡର ଦାଖଲ ଲାଗି ଅନୁମତି ମିଳୁବୋଲି କୋର୍ଟଙ୍କୁ ନିବେଦନ କରିଥିଲେ। ଏଥିରେ ଆମେ ଅର୍ଥମନ୍ତ୍ରୀ ଓ ଅନ୍ୟ ଉଚ୍ଚଅଧିକାରୀଙ୍କ ସହ ଆଲୋଚନା କରି ଆମେ ଏହାର ରାସ୍ତା ବାହାର କରିବୁ ବୋଲି ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ ଜଣାଇଥିଲେ।

ତେବେ ସୁପ୍ରିମକୋର୍ଟ ଏହା ଏକ ସାଧାରଣ କଥା ନୁହେଁ ବୋଲି ସୋଲିସିଟର ଜେନେରାଲଙ୍କୁ କହିଥିଲେ। ଏହାକୁ କୋର୍ଟ ସ୍ୱାସ୍ଥ୍ୟ ସମସ୍ୟାଠାରୁ ମଧ୍ୟ ଗୁରୁତର ବୋଲି କହିବା ସହ ଏପରି ସମୟରେ ଇଏମଆଇରେ ମୋରାଟୋରିୟମ ଦିଆଯାଉଥିବା ବେଳେ ସୁଧ ନିମନ୍ତେ କିଛି କରାଯାଇନଥିବାରୁ ଉଦବେଗ ପ୍ରକାଶ କରିଥିଲେ। ସେହିପରି କୋର୍ଟ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କୁ ମୋରାଟୋରିୟମ ଅବଧିରେ ଇଏମଆଇର ସୁଧ ଓ ସୁଧର ସୁଧ ରିହାତି ଦିଆଯାଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି।

ଏହାର ଜବାବରେ ସୋଲିସିଟର ଜେନେରାଲ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଅନ୍ୟ ଉଚ୍ଚ ଅଧିକାରୀଙ୍କ ସହ ବୈଠକ କରି ଏପରି ସମସ୍ୟାର ସମାଧାନ ରାସ୍ତା ବାହାର କରିବାକୁ ସେ ଉଦ୍ୟମ କରିବେ ବୋଲି କୋର୍ଟଙ୍କୁ କହିଥିଲେ। ତେବେ କୋର୍ଟ ସପ୍ତାହକ ମଧ୍ୟରେ ଆରବିଆଇଙ୍କ ସତ୍ୟପାଠ ଉପରେ ଅର୍ଥମନ୍ତ୍ରାଳୟ ଓ ଅନ୍ୟ ପକ୍ଷକାରଙ୍କୁ ଆଫିଡେଭିଟ୍ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.