ମହରମରେ ଶୋଭାଯାତ୍ରାକୁ ମିଳିଲାନି ଅନୁମତି, ସୁପ୍ରିମକୋର୍ଟ କହିଲେ, 'ପୁରୀ ରଥଯାତ୍ରାର ପ୍ରଥା ଭିନ୍ନ'

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ ୨୭।୮:  ମହରମ ଅବସରରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଲାଗି ଆଗତ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି। ଯଦି ଶୋଭାଯାତ୍ରା ଲାଗି ଅନୁମତି ଦିଆଯାଏ ତେବେ ଦେଶରେ ଅରାଜକତା ବ୍ୟାପିବ ବୋଲି କହିଛନ୍ତି। ଏହାସହ କୋର୍ଟ ପୁରୀରେ ରଥାଯାତ୍ରା ଆୟୋଜନ ଲାଗି କାହିଁକି ଅନୁମତି ଦେଇଥିଲେ ତାର କାରଣ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି।

ଶିୟା ନେତା ମୌଲାନା କଲୱେ ଜୱାବ୍‌ ମହରମ ଅବସରରେ ଶୋଭାଯାତ୍ରା ଆୟୋଜନ ନିମନ୍ତେ ଅନୁମତି ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଉପୁଜିଥିବା କୋଭିଡ-୧୯ ପରିସ୍ଥିତିରେ ଏଥିଲାଗି ଅନୁମତି ଦେବା ଅର୍ଥାତ ଅରାଜକତାକୁ  ଆହ୍ୱାନ କରିବା ସହ ସମାନ ବୋଲି କୋର୍ଟ ସଫା ସଫା କହି ଦେଇଛନ୍ତି। ଏହା ଦ୍ୱାରା ଦେଶରେ କରୋନା ମହାମାରୀ ପ୍ରସାର ଲାଗି ଲୋକେ ଗୋଟିଏ ସମ୍ପ୍ରଦାୟକୁ ଦାୟୀ କରିବେ, ଯାହା କୋର୍ଟ ଚାହାନ୍ତି ନାହିଁ ବୋଲି କହିଛନ୍ତି।

ଏଣୁ କୋର୍ଟ ଏପରି କୌଣସି ଆଦେଶ ଦେଇ ପାରିବେନି ଯାହା ଲୋକଙ୍କ ସ୍ୱାସ୍ଥ୍ୟ ଲାଗି ବିପଦର କାରଣ ହେବ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଆବେଦନର ଶୁଣାଣି କରୁଥିବା ମୁଖ୍ୟବିଚାରପତି ଏସ୍.ଏ.ବୋବଡେଙ୍କ ଖଣ୍ଡପୀଠ କହିଛନ୍ତି ଯେ ମହରମ ଶୋଭାଯାତ୍ରା ଲାଗି କୌଣସି ସ୍ଥାନ ନିର୍ଦ୍ଧିଷ୍ଟ ନୁହେଁ। ଯେଉଁଠାରେ କୌଣସି କଟକଣା ଅଥବା ସତର୍କତା ଅବଲମ୍ବନ କରାଯାଇପାରିବ। ଏଣୁ କୋର୍ଟ କୋଭିଡ ବେଳେ ଏଭଳି ଧାର୍ମିକ କାର୍ଯ୍ୟକ୍ରମକୁ କେବେବି ଅନୁମତି ଦେଇ ପାରିବେନାହିଁ ବୋଲି କହିଛନ୍ତି। 

{"id":321049,"sizeSlug":"large"}

ତେବେ ପୁରୀ ରଥଯାତ୍ରା ଲାଗି କିପରି ଦେଇଥିଲେ ଅନୁମତି
ଆବେଦନକର୍ତ୍ତା ମାମଲାରେ ପୁରୀ ଜଗନ୍ନାଥ ରଥଯାତ୍ରା ପ୍ରସଙ୍ଗ  ମଧ୍ୟ ଉଠାଇଥିଲେ। ତେବେ ମହର୍ରମ ଓ ପୁରୀ ରଥଯାତ୍ରା ଦୁଇ ପୃଥକ ଧାର୍ମିକ ଆୟୋଜନ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି । ଜଗନ୍ନାଥଙ୍କ ରଥଯାତ୍ରା ଦେଶର ନିର୍ଦ୍ଧିଷ୍ଠ ଗୋଟିଏ ସ୍ଥାନରେ ଅନୁଷ୍ଠିତ ହେଉଛି।  କିନ୍ତୁ ମହର୍ରମ ପୁରୀ ଭଳି ଗୋଟିଏ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମ ନୁହେଁ। ଏଣୁ ଅନୁମତି ଦିଆଯିବା ଅର୍ଥାତ ସାରା ଦେଶରେ ମହର୍ରମ ଶୋଭାଯାତ୍ରାକୁ ଅନୁମତି । ପୁରୀରେ ଠାକୁରମାନଙ୍କ ରଥ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥିଲା। ପୁରୀ ରଥ ଯାତ୍ରା ଭଳି ଯଦି ମହର୍ରମ ହୋଇଥାନ୍ତା ତେବେ କୌଣସି ଗୋଟିଏ ସ୍ଥାନର ବିପଦକୁ ଆକଳନ କରି ଅନୁମତି ଦିଆଯାଇ ପାରିଥାନ୍ତା ବୋଲି କୋର୍ଟ କହିଛନ୍ତି।

ଜଗନ୍ନାଥଙ୍କ ରଥଯାତ୍ରାକୁ ମଧ୍ୟ ମିଳୁନଥିଲା ଅନୁମତି
ପୁରୀ ରଥଯାତ୍ରା ନିମନ୍ତେ ମଧ୍ୟ ସୁପ୍ରିମକୋର୍ଟ ପ୍ରଥମେ ଅନୁମତି ଦେଇ ନଥିଲେ। ମୁଖ୍ୟ ବିଚାରପତି ସେତେବେଳେ ମଧ୍ୟ ଅନୁମତି ଦେଲେ ଜଗନ୍ନାଥ ମୋତେ କ୍ଷମା କରିବେନି ବୋଲି କହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ତେବେ ପରେ ପୁନର୍ବିଚାର ଲାଗି ଅନେକ ଆବେଦନ ଯୋଗୁ ଅତ୍ୟନ୍ତ ସତର୍କତାର ସହ ରଥଯାତ୍ରା ଆୟୋଜନ ଲାଗି କୋର୍ଟ ଅନୁମତି ଦେଇଥିବା ବେଳେ କେବଳ ସେବାୟତ ପରିବାରଙ୍କ ଦ୍ୱାରା ପରମ୍ପରା ନିର୍ବାହ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.