ଓଡ଼ିଆ ଫିଲ୍ମ ପାଟଣାଗଡ଼କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି , ରିଲିଜ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 05, 2019 IST

ନୂଆଦିଲ୍ଲୀ/ଭୁବନେଶ୍ୱର ୦୫।୧୧ - ଅପ କମିଂ ଓଡ଼ିଆ ଫିଲ୍ମ ପାଟଣାଗଡ଼କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ବସ୍ତି। ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପରିବାର ପକ୍ଷରୁ ଏହି ଆବେଦନ କରାଯାଇଥିଲା। ତେବେ ଫିଲ୍ମ ରିଲିଜ ଉପରେ ଶେଷ ନିଷ୍ପତ୍ତି ସେନସର ବୋର୍ଡ ନେବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। 

ଯଉଁଠି ଅଟକିଛି ପୁଣି ସେଇଠିକୁ ଫେରିଲା ଫିଲ୍ମ ପାଟଣାଗଡ଼ ବିବାଦ।  ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହା ପ୍ରଯୋଜନା ସଂସ୍ଥା ପାଇଁ ଆଶ୍ବସ୍ତି ହୋଇପାରେ କିନ୍ତୁ ଟେନସନ ବି କାରଣ ପୁଣି ସେନସର ବୋର୍ଡ ଉପରେ ପୁରା ନିଷ୍ପତ୍ତି ନେବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୩୦ ଦିନ ଭିତରେ ନିଷ୍ପତ୍ତି ନେବା ଲାଗି କୋର୍ଟ କହିଥିବାରୁ ପ୍ରଯୋଜନା ସଂସ୍ଥାଙ୍କ ଆଶା ଯେ ଏହାର ସାର୍ଟିଫିକେଟ ମିଳିଯିବ ଏବଂ ଫିଲ୍ମ ରିଲିଜ ନେଇ ବାଟ ଫିଟିବ।

ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣା ଯେମିତି ଦେଶ ବିଦେଶରେ ଚର୍ଚ୍ଚିତ ହୋଇଥିଲା ସେହିପରି ଫିଲ୍ମ ପାଟଣାଗଡ଼ ବି ଖୁବ ଚର୍ଚ୍ଚିତ ହୋଇଛି। ସଦ୍ଧାର୍ଥ ମାର୍ଥାଙ୍କ ପ୍ରଯୋଜିତ ଓ ରାଜେଶ ତୌଚିରଭରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମନୋଜ ମିଶ୍ର, ଅତୁଲ କୁଲକର୍ଣ୍ଣି, ଅନୁ ଚୌଧୁରୀଙ୍କ ଭଳି ଅଭିନେତା ଅଛନ୍ତି। ତେବେ ବୋମା ବିସ୍ଫୋରଣ ଘଟଣା ଏବେବି ବିଚାରାଧିନ ଥିବାରୁ ଏହା ଉପରେ ଆଧାରିତ ଫିଲ୍ମକୁ ରିଲିଜ ବନ୍ଦ ପାଇଁ ଉଭୟ ମୃତ ସୌମ୍ୟ ଶେଖରଙ୍କ ପରିବାର ଏବଂ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପରିବାର ଆବେଦନ କରିଥିଲେ। ମାମଲା ପାଟଣାଗଡ଼ କୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯାଇଛି। ଏପରିକି ଫିଲ୍ମ ଏହି ବିବାଦ ପାଇଁ ନିକଟରେ କୋଲକାତା ଫିଲ୍ମ ଫେଷ୍ଟିଭାଲରୁ ବାଦ୍‌ ପଡ଼ିଥିଲା।

ପାଟଣାଗଡ ଫିଲ୍ମ ଉଭୟ ଓଡ଼ିଆ ଏବଂ ତେଲଗୁରେ ତିଆରି ହେଉଛି। ତେବେ ମାସେ ଭିତରେ ଜଣା ପଡ଼ିବ ଫିଲ୍ମ ହଲକୁ ଆସିବ ନାଁ ଆଉ କିଛି ଆଇନଗତ ଲଢ଼େଇ ଲଢ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.