‘ପକସୋ’ ମାମଲାରେ ରାୟକୁ ନେଇ ସୁପ୍ରିମକୋର୍ଟ କୋଲେଜିୟମ ଅଟକାଇଲେ ବମ୍ବେ ହାଇକୋର୍ଟ ବିଚାରପତିଙ୍କ ପଦୋନ୍ନତି

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଲୀ ୩୦।୧: ସୁପ୍ରିମକୋର୍ଟ କୋଲେଜିୟମ ଶନିବାର ବମ୍ବେ ହାଇକୋର୍ଟଙ୍କ ଅତିରିକ୍ତ ଜଜ୍ ଜଷ୍ଟିସ୍ ପୁଷ୍ପା ବୀରେନ୍ଦ୍ର ଗନେଡିୱାଲାଙ୍କୁ ସ୍ଥାୟୀ ବିଚାରପତି ନିଯୁକ୍ତି ଲାଗି ସ୍ୱୀକୃତି ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାହାର କରିଛନ୍ତି। କିଛି ମାମଲାରେ ବିଚାରପତିଙ୍କ ବିବାଦୀୟ ରାୟକୁ ନେଇ କଲୋଜିୟମ ଏପରି ନିଷ୍ପତ୍ତି ନେଇଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯୌନ ଅପରାଧରୁ ଶିଶୁଙ୍କ ସଂରକ୍ଷଣ ଆଇନ(ପକସୋ) ରେ ଯୌନ ଉତ୍ପୀଡ଼ନକୁ ବିଚାରପତି ଯେପରି ବ୍ୟାଖ୍ୟା କରିଛନ୍ତି ତାକୁ ନେଇ କୋଲେଜିୟମ ଏପରି ନିଷ୍ପତ୍ତି ନେଇଛନ୍ତି। ବିଚାରପତି ଗନେଡିୱାଲା ଗତ ଦିନରେ ଜନୈକ ୧୨ ବର୍ଷ ବୟଷ୍କା ନା ବାଳିକା ପ୍ରତି ଦୂରାଚାର କରିଥିବା ଅପରାଧୀକୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଥିଲେ ଓ କହିଥିଲେ ଯେ ପୀଡ଼ିତାଙ୍କ ସହ ଅଭିଯୁକ୍ତଙ୍କ ତ୍ୱଚା ସହ ତ୍ୱଚାର ସମ୍ପର୍କ ନଥିଲା।

କେବଳ ଏତିକି ନୁହେଁ ଏହାର କିଛିଦିନ ପୂର୍ବରୁ ୫ ବର୍ଷ ବୟଷ୍କ ପିଲାର ହାତ ଧରିବା ଅଥବା ପ୍ୟାଣ୍ଟର ଜିପ୍‌ ଖୋଲିବା ପକସୋ ଆଇନରେ ଯୌନ ଅପରାଧ ନୁହେଁ ବୋଲି କହିଥିଲେ। ଏ ନେଇ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଲ ମାମଲାରେ ହାଇକୋର୍ଟଙ୍କ ରାୟ ନେଇ ଆବେଦନ କରିବା ପରେ ସୁପ୍ରିମକୋର୍ଟ ଜାନୁୟାରୀ ୨୭ ତାରିଖରେ ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ।

ଏହା ପୂର୍ବରୁ ଗତ ଜାନୁୟାରୀ ୨୦ ତାରିଖରେ ମୁଖ୍ୟ ବିଚାରପତି ଏସ.ଏ.ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗନେଡିୱାଲାଙ୍କ ସ୍ଥାୟୀ ବିଚାରପତି ନିଯୁକ୍ତି ପ୍ରସ୍ତାବକୁ ସ୍ୱୀକୃତି ଦେଇଥିଲେ। ୩ ମାର୍ଚ୍ଚ ୧୯୬୯ରେ ଜନ୍ମିତା ପୁଷ୍ପା ଗନେଡିୱାଲା ତାଙ୍କ ଓକିଲାତି କ୍ୟାରିୟରରେ ଅନେକ ବ୍ୟାଙ୍କ ଓ ବୀମା କମ୍ପାନୀର ପ୍ୟାନେଲରେ ଆଡଭୋକେଟ ଥିଲେ। ୨୦୦୭ ମସିହାରେ ତାଙ୍କୁ ଜିଲ୍ଲା ନ୍ୟାୟାଧୀଶ ଭାବେ ସିଧା ନିଯୁକ୍ତି ମିଳିଥିଲା। ଗତ ୨୦୧୯ ମସିହା ଫେବୃଆରୀ ୧୩ ତାରିଖରେ ତାଙ୍କୁ ବମ୍ବେ ହାଇକୋର୍ଟଙ୍କ ଅତିରିକ୍ତ ବିଚାରପତି ଭାବେ ପଦୋନ୍ନତୀ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.