ଆହୁରି ୧ ସପ୍ତାହ ବଢିଲା ରାଜୀବ ହତ୍ୟାକାରୀ ପେରାରୀଭଲନର ପାରୋଲ, ଚିକିତ୍ସା ପାଇଁ ସୁପ୍ରିମକୋର୍ଟଙ୍କୁ କରିଥିଲା ଆବେଦନ
27/11/2020 at 3:53 PM

ନୂଆଦିଲ୍ଲୀ ୨୭।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ଲାଗି କୋର୍ଟଙ୍କ ଦ୍ୱାରା ଆଜୀବନ କାରାଦଣ୍ଡାଦେଶ ପାଇଥିବା ପେରାରୀଭଲନର ପାରୋଲ ଅବଧିକୁ ସୁପ୍ରିମକୋର୍ଟ ଆଉ ୧ ସପ୍ତାହ ଲାଗି ସମ୍ପ୍ରସାରଣ କରିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଲାଗି ସେ କୋର୍ଟଙ୍କୁ ୯୦ ଦିନ ନିମନ୍ତେ ପାରୋଲ ନିବେଦନ କରିଥିଲା। ତେବେ କୋର୍ଟ ଶେଷ ଥର ଲାଗି ପାରୋଲ ଅବଧି ସମ୍ପ୍ରସାରଣ କରୁଥିବା ସ୍ପଷ୍ଟ କରିଦେଇଛନ୍ତି।
ପେରାରୀଭଲନ ସର୍ଜରୀ କରାଇବା ଲାଗି କୋର୍ଟଙ୍କୁ ପାରୋଲ ନିବେଦନ କରିଥିଲା। ସ୍ୱାସ୍ଥ୍ୟଗତ କାରଣ ଲାଗି କୋର୍ଟ ପ୍ରଥମେ ଦୀର୍ଘ ଅବଧି ପାରୋଲ ଲାଗି ସହମତ ହୋଇନଥିଲେ। ତେବେ ସପ୍ତାହକ ଲାଗି ପାରୋଲ ମଞ୍ଜୁର କରିଥିଲେ। ହେଲେ ଏଥିରେ ଚିକିତ୍ସା ସମାପ୍ତ ହୋଇ ନଥିବାରୁ ଅଧିକ ଅବଧି ପାରୋଲ ନିବେଦନ କରିଥିବା ବେଳେ କୋର୍ଟ ମାତ୍ର ଗୋଟିଏ ସପ୍ତାହ ଦେଇଛନ୍ତି।
କୋର୍ଟରେ ପେରାରୀଭଲନର ପାରୋଲ ଶୁଣାଣି ଆରମ୍ଭରେ ଓକିଲ ଶଙ୍କରନାରାୟଣନ ତାଙ୍କର ଗୋଟିଏ କିଡନୀ ୨୫ ପ୍ରତିଶତ କାର୍ଯ୍ୟ କରୁନଥିବା କହିଥିଲେ। ଏଣୁ ତାଙ୍କର ତୁରନ୍ତ ଅପରେସନ ଆବଶ୍ୟକ। ଏଥିଲାଗି ୯୦ ଦିନ ପାରୋଲ ମଞ୍ଜୁର କରାଯାଉ। ତେବେ କୋର୍ଟ ତାଙ୍କୁ ଏତେ ସମୟ ପାରୋଲ ଆବେଦନ କରିବାର ନଥିଲା ବୋଲି କହିଥିଲେ। ତେବେ ରାଜୀବ ହତ୍ୟାକାରୀଙ୍କ ମୁକ୍ତିଲାଗି ସରକାର ସୁପାରିସ କରିଛନ୍ତି। ଏଣୁ ମାମଲାରେ ସେ ସରକାରଙ୍କୁ କାହିଁକି ନିବେଦନ କରୁନାହାନ୍ତି ବୋଲି କୋର୍ଟ କହିଥିଲେ।
ଅନ୍ୟପକ୍ଷରେ ପେରାରୀଭଲନ ପ୍ରତି ୨ ବର୍ଷରେ ୩୦ ଦିନ ପାରୋଲ ଲାଗି ହକଦାର। ତେବେ ଇତିମଧ୍ୟରେ ସେ ୫୧ ଦିନରୁ ଅଧିକ ପାରୋଲ ନେଇସାରିଲେଣି। ତେବେ ସେ ସିଏମସି ଭେଲ୍ଲୋର ବଦଳେ ସେଠାରୁ ୨୦୦ କିଲୋମିଟର ଦୂର ଅନ୍ୟଏକ ହସ୍ପିଟାଲରେ ଚିକିତ୍ସକୀୟ ପରାମର୍ଶ କରୁଥିବା ପେରାରୀଭଲନର ଓହିଲ କୋର୍ଟଙ୍କୁ କହିଥିଲେ। ତେବେ କୋର୍ଟ ମାତ୍ର ଏକ ସପ୍ତାହ ପାରୋଲ ଦେଇଛନ୍ତି।