କରୋନାକୁ ନେଇ ସୁପ୍ରିମ୍କୋର୍ଟ ସତର୍କ, କେବଳ ଜରୁରି ମାମଲାର କରିବେ ଶୁଣାଣି
13/03/2020 at 6:28 PM

ନୂଆଦିଲ୍ଲୀ ୧୩।୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) କରୋନାକୁ ମହାମାରୀ ଘୋଷଣା କରିଛନ୍ତି। ଏଣୁ ସଂକ୍ରମଣର ଭୟାବହତାକୁ ଦେଖି ସୁପ୍ରିମକୋର୍ଟ ସତର୍କ ହୋଇଯାଇଛନ୍ତି। ସୋମବାରଠାରୁ ସୁପ୍ରିମକୋର୍ଟରେ କେବଳ ଜରୁରି ମାମଲାର ଶୁଣାଣି ହେବ। ଏ ନେଇ କୋର୍ଟଙ୍କ ପକ୍ଷରୁ ଶୁକ୍ରବାର ଅଧିସୂଚନା ଜାରି ହୋଇଛି।

ସୁପ୍ରିମକୋର୍ଟଙ୍କ ଅଧିସୂଚନା ଅନୁସାରେ କୋରନା ଭାଇରସ ମହାମାରୀ ସିଓଭିଡି-୧୯ ହୋଇଥିବାରୁ ମୋକଦ୍ଦମା ସମ୍ପର୍କିତ କେବଳ ଓକିଲଙ୍କ ବ୍ୟତୀତ କୋର୍ଟ ରୁମକୁ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ। ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୮୧ରେ ପହଞ୍ଚିଥିବା ବେଳେ ଶୁକ୍ରବାର ଦ୍ୱୀତିୟ ମୃତ୍ୟୁ ରିପୋର୍ଟ ହୋଇଛି। ସଂକ୍ରମିତଙ୍କ ମଧ୍ୟରୁ ୬୪ ଜଣ ଭାରତୀୟ ହୋଇଥିବା ବେଳେ ଇଟାଲୀର ୧୬ ଓ କାନାଡାର ଜଣେ ବୋଲି କୁହାଯାଇଛି। ତେବେ ଦେଶରେ ଏପର୍ଯ୍ୟନ୍ତ କରୋନାକୁ ନେଇ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇନଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ କରୋନା ସଂକ୍ରମିତଙ୍କ ସଂସ୍ପର୍ସରେ ଆସିଥିବା ଲୋକଙ୍କର ଏବେ ୟାଞ୍ଚ ହେଉଛି। ଏଥିରେ ଏପର୍ଯ୍ୟନ୍ତ ୪ହଜାରରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଏବେ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣରେ ରଖା ଯାଇଛି। ସେହିପରି ସରକାର ଏପର୍ଯ୍ୟନ୍ତ ବିଭିନ୍ନ ଦେଶରୁ ୪୨ହଜାର ୨୯୬ ଜଣଙ୍କୁ ଭାରତ ଆଣିଛନ୍ତି। ସେମାନଙ୍କ ମଧ୍ୟରୁ ୨ହଜାର ୫୫୯ ଜଣଙ୍କଠାରେ ଭୂତାଣୁର ଲକ୍ଷଣ ଦେଖାଯାଇଛି। ଯେଉଁମାନଙ୍କ ମଧ୍ୟରୁ ୫୨୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରେ ୧୭ ଜଣ ବିଦେଶୀ ନାଗରିକ ଥିବା ଜଣାପଡିଛି।