କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟ କହିଲେ ଆଇନ ସ୍ଥଗିତ କରିବାକୁ ବିଚାର କରନ୍ତୁ ସରକାର, ଆନ୍ଦୋଳନର ଶୈଳୀ ବଦଳାନ୍ତୁ ଚାଷୀ
17/12/2020 at 5:44 PM

ନୂଆଦିଲ୍ଲୀ ୧୭।୧୨: ସଂଶୋଧିତ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ନେଇ ସର୍ବୋଚ୍ଚନ୍ୟାୟାଳୟ ଗୁରୁବାର ଶୁଣାଣି କରିଛନ୍ତି। ବୁଧବାର ଆଗତ ପିଟିସନର ଶୁଣାଣିରେ କୋର୍ଟ ଚାଷୀଙ୍କୁ ସେମାନଙ୍କର କଥା ନିଶ୍ଚିତ ଶୁଣାଯିବ ବୋଲି ଭରସା ଦେଇଥିବା ବେଳେ, କେବଳ ବିରୋଧର ଶୈଳୀ ପରିବର୍ତ୍ତନ କରିବାକୁ କହିଛନ୍ତି। ସେପଟେ ବର୍ତ୍ତମାନ ଲାଗି ଆଇନ ଉପରେ କିପରି ରୋକ ଲାଗିପାରିବ ସେ ସମ୍ପର୍କରେ ସରକାରଙ୍କୁ ବିଚାର କରିବାକୁ କହିଛନ୍ତି।
ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଗୁରୁବାର ୨୨ତମ ଦିବସରେ ପ୍ରବେଶ କରଛି। ତେବେ ସରକାରଙ୍କ ଆଇନର ବୈଧତା ନେଇ କୋର୍ଟ ଚର୍ଚ୍ଚା କରୁନଥିବା କହିଛନ୍ତି। ହେଲେ ଚାଷୀଙ୍କ ବିକ୍ଷୋଭ ଓ ନାଗରିକଙ୍କ ମୌଳିକ ସୁବିଧା ସମ୍ପର୍କିତ ବିଷୟରେ ଆଲୋଚନା କରୁଥିବା କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ.ବୋବଡେ ଆଇନ ବିରୋଧରେ ବିକ୍ଷୋଭକୁ ଆମେ ଆମର ଅଧିକାର ଭାବୁ ବୋଲି କହିଛନ୍ତି। ତେବେ ଏହାକୁ କେହି ଛଡାଇ ନେବାର ପ୍ରଶ୍ନ ହିଁ ଉଠୁନି । ହେଲେ ଏଥିଯୋଗୁ ଯେପରି କାହାର ଜୀବନ ବିପଦରେ ନ ପଡେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ବୋଲି ବୋଲି କହିଛନ୍ତି।
ଆଇନ ବିରୋଧରେ ଆନ୍ଦୋଳନ କରିବା ଚାଷୀଙ୍କ ଅଧିକାର ଓ ଏଥିରେ ଆମେ ଦଖଲ ଦେବୁନି ବୋଲି କୋର୍ଟ କହିଥିଲେ। ହେଲେ ସେମାନେ ଯେପରି ପ୍ରଦର୍ଶନ କରୁଛନ୍ତି ଏଥିରେ ସାମାନ୍ୟ ପରିବର୍ତ୍ତନ ଲାଗି କେନ୍ଦ୍ର ସରକାରଙ୍କୁ କହିବୁ। ଯେପରି ରାଜଧାନୀରେ ବସବାସ କରୁଥିବା ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ ନ ହୁଏ ବୋଲି କୋର୍ଟ କହିଛନ୍ତି। ବିରୋଧ ପ୍ରଦର୍ଶନ କରିବା ସେ ପର୍ଯ୍ୟନ୍ତ ସାମ୍ବିଧାନିକ ଅଧିକାର ବୁଝାଯିବ ଯେ ପର୍ଯ୍ୟନ୍ତ ଏଥିଯୋଗୁ କାହାର ସମ୍ପତ୍ତି ହାନୀ ନ ହୁଏ କି କାହାର ଜୀବନ ବିପଦରେ ନପଡେ । ଏଣୁ ପ୍ରସଙ୍ଗରେ କେନ୍ଦ୍ର ସରକାର ଚାଷୀଙ୍କ ସହ ଆଲୋଚନା କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।
ଏଣୁ ଆମେ ଭାବୁଛୁ ଏଥିଲାଗି ଏକ ନିରପେକ୍ଷ କମିଟି ଗଠନ କରିବାକୁ। ଯେଉଁଠାରେ ଉଭୟ ସରକାର ଓ ଚାଷୀ ସେମାନଙ୍କ ପକ୍ଷ ରଖିପାରିବେ। କମିଟି ଯେଉଁ ନିଷ୍ପତ୍ତି ନେବେ ତାହା ସ୍ୱୀକାର୍ଯ୍ୟ ହେବା ଦରକାର ବୋଲି ମୁଖ୍ୟବିଚାରପତି କହିଛନ୍ତି। ସେ ପର୍ଯ୍ୟନ୍ତ ଚାଷୀ ତାଙ୍କ ଆନ୍ଦୋଳନ ଜାରି ରଖି ପାରନ୍ତି। ଏହି କମିଟିରେ ପି.ସାଇନାଥ ଓ ଭାରତୀୟ କିଷାନ ୟୁନିୟନର ଲୋକେ ମଧ୍ୟ ସଦସ୍ୟ ରହିପାରନ୍ତି। ଆଲୋଚନା ମାଧ୍ୟମରେ ହୁଏତ ଚାଷୀଙ୍କର ସମସ୍ୟା ସମାଧାନ ହୋଇପାରେ ବୋଲି କୋର୍ଟ କହିଛନ୍ତି।
ଦିଲ୍ଲୀକୁ ଏମିତି ଘେରାଉ କରି ରଖିଲେ ଚାଷୀଙ୍କୁ ଏହାର କୌଣସି ସୁଫଳ ମିଳିବ ତାର କେହି ଗ୍ୟାରେଣ୍ଟି ଦେଇ ପାରିବେନି, ଅନ୍ୟପକ୍ଷରେ ରାଜଧାନୀକୁ ଯୋଗାଣ ପ୍ରଭାବିତ ହୋଇପାରେ ବୋଲି ମୁଖ୍ୟବିଚାରପତି କହିଛନ୍ତି। କୋର୍ଟ କହିଛନ୍ତି ଯେ ଆମେ ବି ଭାରତୀୟ ଓ ଚାଷୀଙ୍କ ପରିସ୍ଥିତି ସହ ଅଭିଜ୍ଞ। ଏଣୁ ଚାଷୀଙ୍କ ଉଦ୍ଦେଶ୍ୟ ପ୍ରତି ଆମେ ମଧ୍ୟ ସମ୍ବେଦନଶୀଳ। ଏଣୁ ଚାଷୀ କେବଳ ସେମାନଙ୍କ ବିରୋଧର ପଦ୍ଧତୀ ବଦଳାନ୍ତୁ। ସେମାନଙ୍କ କଥା ନିଶ୍ଚିତ ଶୁଣାଯିବ ତାର ଭରସା ଆମେ ଦେଉଛୁ । ସେପଟେ କେନ୍ଦ୍ର ସରକାର ଆଇନ ଉପରେ ବର୍ତ୍ତମାନ କିପରି ରୋକ ଲଗାଯାଇପାରିବ ସେ ସମ୍ପର୍କରେ ସରକାର ବିଚାର କରନ୍ତୁ ବୋଲି କୋର୍ଟ କହିଛନ୍ତି।
ଗାଁରେ କରୋନା ପ୍ରସାର କରିବେ ଚାଷୀ !
ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଶୁଣିବା ପରେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଲ ତାଙ୍କର ପକ୍ଷ ରଖିଥିଲେ। ରାଜଧାନୀରେ ଆନ୍ଦୋଳନ କରୁଥିବା ଚାଷୀ କୋଭିଡ କଟକଣା ଆଦୌ ମାନୁନଥିବା କହିଛନ୍ତି। ସେମାନେ ଆଦୌ ମାସ୍କ ପିନ୍ଧୁ ନଥିବା ବେଳେ ଯେଉଁଠି ରହୁଛନ୍ତି ଏକାଠି ସଂଘବଦ୍ଧ ଭାବେ ଦଳଦଳ ହୋଇ ରହୁଛନ୍ତି। ଏଣୁ ସେମାନେ ଆନ୍ଦୋଳନରୁ ଘରକୁ ଫେରିଗଲେ ଗାଁ ଗାଁରେ କରୋନା ବ୍ୟାପିବ ବୋଲି କହିଥିଲେ। ଆଟର୍ଣ୍ଣି ଜେନେରାଲଙ୍କ ତର୍କରେ କୋର୍ଟ ସରକାର ଆଇନର କାର୍ଯ୍ୟକାରୀତା ଉପରେ ଯଦି ରୋକ ଲାଗେ ବୋଲି ପଚାରିବାରୁ ଏପରି କଲେ ଆନ୍ଦୋଳନକାରୀ ଚାଷୀ ଆଉ ଆଲୋଚନା ଲାଗି ଆସିବେ ନାହିଁ ବୋଲି କେ.କେ. ବେଣୁଗୋପାଲ କହିଛନ୍ତି।