ଟ୍ରେନ ଧକ୍କାରେ ଏସବିଆଇ ମହିଳା ପିଓଙ୍କ ମୃତ୍ୟୁ, ୩ ଦିନ ପୂର୍ବରୁ ସ୍ଥିର ହୋଇଥିଲା ବିବାହ
22/05/2019 at 7:13 PM

୩ ଦିନ ପୂର୍ବରୁ ବିବାହ ସ୍ଥିର ହୋଇଥିଲା, ଘରେ ପରିବାର ଲୋକଙ୍କ ଖୁସି କହିଲେ ନସରେ। ହେଲେ ଘରକୁ ଖୁସି ଆସିବା ପୂର୍ବରୁ ଛାଇ ଯାଇଛି ଦୁଃଖର କଳାବାଦଲ। ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି ଜଣେ ମହିଳା ଏସବିଆଇ ବ୍ୟାଙ୍କ ପିଓ। ଏଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଲର ଅଯୋଧ୍ୟା ନଗରରେ ରହୁଥିବା ଶିବାଲି ପ୍ରଜାପତିଙ୍କ ପରିବାରରେ। ଶିବାଲି ଏସବିଆଇର ଇଟାରସୀ ଶାଖାରେ ବ୍ୟାଙ୍କ ପିଓ ଥିଲେ। ସେ ଚାକିରୀ କରିବା ପାଇଁ ସବୁଦିନ ଟ୍ରେନରେ ଭୋପାଲ-ଇଟାରସୀ ଅପ-ଡାଉନ କରୁଥିଲେ।

ଶିବାଲି ସବୁଦିନ ଅଫିସରୁ ଫେରିବା ପାଇଁ ହବିବଗଞ୍ଜ ଷ୍ଟେସନରେ ଓହ୍ଲାନ୍ତି। ଷ୍ଟେସନରୁ ଟ୍ରେନ ଛାଡିବା ପରେ ଆଉଟର ଦେଇ ରାସ୍ତାକୁ ଚାଲିଯାଆନ୍ତି। ସେଠାରୁ ଯେ କୌଣସି ଗାଡିରେ ଅଯୋଧ୍ୟା ନଗରସ୍ଥିତ ତାଙ୍କ ନର୍ମଦା ଏନକ୍ଲେଭ ଘରକୁ ପହଞ୍ଚି ଯାହାନ୍ତି.। ତେବେ ସବୁଦିନ ସମାନ ଯାଏନି। ଗତ ସୋମବାର ବ୍ୟାଙ୍କ ବନ୍ଦ ହେବା ପରେ ଇଟାରସୀରୁ ସାଥୀମାନଙ୍କ ସହ ଟ୍ରେନରେ ଆସି ହବିବଗଞ୍ଜରେ ପହଞ୍ଚିଥିଲେ। ଆଉଟର ଦେଇ ମୁଖ୍ୟ ରାସ୍ତାକୁ ଯିବା ବେଳେ ଅନ୍ୟ ଟ୍ରାକରେ ଟ୍ରେନ ଆସୁଥିଲା। ସେ କିଛି ଚିନ୍ତା କରିବା ଆଗରୁ ଟ୍ରେନ ସହ ପିଟି ହୋଇ ରେଳ ବ୍ରିଜ ତଳକୁ ଛିଟକି ପଡିଥିଲେ। ତାଙ୍କୁ ତୁରନ୍ତ ଜେପି ହସ୍ପିଟାଲ ନିଆଯାଇଥିଲା। ସେଠାରେ କିଛି ଘଣ୍ଟା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଗତ ମେ ୧୮ ତାରିଖ ଦିନ ଶିବାଲୀଙ୍କ ବିବାହ ହାଇଦ୍ରାବାଦରେ ସ୍ଥିର ହୋଇଥିଲା। ପରିବାର ଲୋକେ ସେଠାକୁ ଯାଇ ପୁଅଘର ଲୋକଙ୍କ ସହ କଥା ହୋଇ ଆସିଥିଲେ। ଘରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଝିଅର ଶବାରୀ ଉଠିବା ପୂର୍ବରୁ ଉଠିଛି କୋକେଇ। ଶିବାଲୀ ପରିବାରର ଏକମାତ୍ର ରୋଜଗାରିଆ ଝିଅ ଥିଲେ। ତାଙ୍କ ପିତା ଜଣେ ସମାଜ ସେବକ। ଘରେ ସାନ ଭଉଣିଟିଏ ବି ଅଛି । ୭ ବର୍ଷ ପୂର୍ବେ ଶିବାଲୀ ବ୍ୟାଙ୍କରେ ଯୋଗଦେଇଥିଲେ। ତେବେ ଗତ ୫ ମାସ ହେଲା ତାଙ୍କର ଇଟାରସୀ ବଦଳି ହୋଇଥିଲା।