ଗୃହ ଋଣ ସୁଧହାରରେ SBI ଦେଉଛନ୍ତି ରିହାତି, ପ୍ରୋସେସିଂ ଫି ଛାଡ
8/01/2021 at 6:51 PM

ନୂଆଦିଲ୍ଲୀ ୮।୧: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କ ଲାଗି ଗୃହ ଋଣ ହାରରେ ଏବେ ରିହାତି ଦେଇଛନ୍ତି। ସୁଧହାର ୦.୩୦ ପ୍ରତିଶତ ରିହାତି ଦେଇଥିବା ବେଳେ ପ୍ରୋସେସିଂ ଫି ସମ୍ପୂର୍ଣ୍ଣ ଛାଡ ଘୋଷଣା କରିଛନ୍ତି। ଏ ନେଇ ବ୍ୟାଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚିତ କରାଯାଇଛି।

ବିଜ୍ଞପ୍ତି ଅନୁସାରେ ଏସବିଆଇଙ୍କ ନୂଆ ସୁଧହାର ସିଭିଲ ସ୍କୋର ସହ ସମ୍ପୃକ୍ତ ଓ ୩୦ ଲକ୍ଷ ପର୍ଯ୍ୟନ୍ତ ଋଣ ଲାଗି ସୁଧହାର ୬.୮୦ ପ୍ରତିଶତରୁ ଆରମ୍ଭ ହେଉଛି। ସେହିପରି ୩୦ ଲକ୍ଷରୁ ଅଧିକ ଟଙ୍କାର ଋଣ ଲାଗି ସୁଧହାର ୬.୯୫ ପ୍ରତିଶତରୁ ପ୍ରାରମ୍ଭ କରିଛନ୍ତି। ଏଥିରେ ଯଦି ମହିଳା ଗୃହ ଋଣ ଲାଗି ଆବେଦନ କରନ୍ତି ତେବେ ଅଧିକ ୦.୦୫ ପ୍ରତିଶତ ସୁଧ ରିହାତି ମିଳିବ।

ଗ୍ରାହକ ୟୋନେ ଆପ୍ରେ ଘରେ ବସି ଗୃହ ଋଣ ଆବେଦନ କରିପାରିବେ। ଏଥିରେ ମଧ୍ୟ ପ୍ରୋସେସିଂ ଫି ଓ ଅତିରିକ୍ତ ସୁଧ ରିହାତି ମଧ୍ୟ ପାଇପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ବ୍ୟାଙ୍କର ଏହି ରିହାତି ଯୋଜନା ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି କୁହାଯାଇଛି।