ଶସ୍ତା ହେଲା ଏସବିଆଇ ହୋମ, କାର ଓ ପର୍ସନାଲ ଲୋନ, କମିଲା ସୁଧହାର
10/07/2019 at 4:01 PM

ମୁମ୍ବାଇ: ସାର୍ବଜନିକ କ୍ଷେତ୍ରରେ ଦେଶର ସର୍ବ ବୃହତ୍ତ ବ୍ୟାଙ୍କ ଏସବିଆଇ ତାଙ୍କର ଏମସିଏଲଆରରେ ୫ ପଏଣ୍ଟ ହ୍ରାସ କରିଛନ୍ତି। ଫଳରେ ବୁଧବାରଠାରୁ ଏସବିଆଇର ହୋମ, କାର ଓ ପର୍ସନାଲ ଲୋନ ସମେତ ଅନ୍ୟ ଋଣର ସୁଧହାର ହ୍ରାସ ହୋଇଛି। ଏହି ହ୍ରାସ ପରେ ଋଣ ଉପରେ ବ୍ୟାଙ୍କର ବାର୍ଷିକ ସୁଧହାର ୮.୪୫ ପ୍ରତିଶତ ବଦଳେ ୮.୪୦ ପ୍ରତିଶତ ହୋଇଯାଇଛି।

ନିକଟରେ ଆରବିଆଇ ରେପୋ ରେଟ୍ ରେ ହ୍ରାସ ଘୋଷଣା କରିଥିଲେ। ଏହାର ଲାଭ ଯେପରି ଗ୍ରାହକଙ୍କ ପର୍ଯ୍ୟନ୍ତ ପହଞ୍ଚିବ ସେଥିଲାଗି ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କମାନେ ଧ୍ୟାନ ଦେବା ଦରକାର ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ। ସେହି ଅନୁସାରେ ଏସବିଆଇ ଏମସିଏଲଆରରେ ୫ ପଏଣ୍ଟ ହ୍ରାସ ଘୋଷଣା କରିବା ସହ ଜୁଲାଇ ୧୦ ତାରିଖରୁ ସମସ୍ତ ପ୍ରକାର ଋଣରେ ସୁଧହାର ହ୍ରାସ କରିଥିବା ଏକ ବିବୃତ୍ତି ସୂଚନା ଦେଇଛନ୍ତି। ୨୦୧୯-୨୦ ବର୍ଷରେ ଏସବିଆଇ ଏହାକୁ ମିସାଇ ତୃତୀୟ ଥର ରେଟ୍ କାଟ୍ କରିଛନ୍ତି। ବ୍ୟାଙ୍କଙ୍କ ଏହି ନିଷ୍ପତ୍ତି ପରେ ୧୦ ଏପ୍ରିଲ ୨୦୧୯ ପରେ ପ୍ରଦାନ କରାଯାଇଥିବା ଗୃହ ଋଣ ୦.୨୦ ପ୍ରତିଶତ ଶସ୍ତା ହୋଇଛି।

ଆରବିଆଇ ଇତିମଧ୍ୟରେ ରୋପୋ ରେଟ୍ ରେ ୭୫ ପଏଣ୍ଟ ହ୍ରାସ କରିସାରିଲେଣି। ତେବେ ବ୍ୟାଙ୍କମାନେ ଗ୍ରାହକଙ୍କୁ ଏହାର ମାତ୍ର ଏକ ତୃତୀୟାଂଶ ଲାଭ ଦେଇଛନ୍ତି। ତେବେ ପୂର୍ବରୁ ଟ୍ରାନ୍ସମିସନ ବିଳମ୍ବ ଯୋଗୁ ବ୍ୟାଙ୍କମାନେ ସେମାନଙ୍କ ଗ୍ରାହକଙ୍କୁ ଆରବିଆଇଙ୍କ ଲାଭ ପହଞ୍ଚାଇବାରେ ବିଳମ୍ବ କରୁଥିଲେ। ହେଲେ ଏବେ ଟ୍ରାନ୍ସମିସନସମୟ ହ୍ରାସ ହୋଇଛି। ଏଣୁ ବ୍ୟାଙ୍କମାନେ ୨ରୁ ୩ ମାସ ମଧ୍ୟରେ ଆରବିଆଇଙ୍କ ଲାଭ ପାଉଥିବା ବେଳେ ଗ୍ରାହକଙ୍କୁ ମଧ୍ୟ ସେହିସମୟ ମଧ୍ୟରେ ଲାଭ ପହଞ୍ଚାଇ ପାରିବେ ବୋଲି ଆରବିଆଇ ଗଭର୍ଣ୍ଣର ମୁକ୍ତିକାନ୍ତ ଦାସ କହିଥିଲେ।