SBI ATMରୁ ଟଙ୍କା ବାହାର କରୁଛନ୍ତି କି ? ତେବେ ଜାଣି ରଖନ୍ତୁ ନୂଆ ନିୟମ,ନଚେତ୍ ଦେବାକୁ ପଡ଼ିବ ଜୋରିମାନା

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ ୧୭/୮: ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କ୍ ଝଟକା ଦେଇଛି। ଏସବିଆଇ ଏଟିଏମଠୁ ଟଙ୍କା ବାହାର କରିବାକୁ ନେଇ ନିୟମରେ ପରିବର୍ତ୍ତନ କରିଛି। ବଦଳିଥିବା ନିୟମ ଅନୁସାରେ ଏବେ ଫ୍ରି ଟ୍ରାଞ୍ଜାକ୍ସନର ଲିମିଟକୁ ପାର କରିଲେ ଆକାଉଣ୍ଟଧାରୀଙ୍କଠୁ ଜୋରିମାନା ଲାଗିବ। କେବଳ ଏତିକି ନୁହେଁ,ଯଦି ଏସବିଆଇର ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ବ୍ୟାଲାନ୍ସ ନଥିଲେ ଫେଲ୍ ହେଉଥିବା ଟ୍ରାଞ୍ଜାକ୍ସନ୍ ପାଇଁ ଜୋରିମାନା ଭରିବାକୁ ପଡ଼ିବ। ଏସବିଆଇର ଏହି ନିୟମ ୨୦୨୦ମସିହା ଜୁଲାଇ ୧ତାରିଖରୁ ଲାଗୁ ହୋଇ ସାରିଛି।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମେଟ୍ରୋ ସହରରେ ଏଟିଏମରୁ ୮ଥର ମାଗଣା ନେଣଦେଣର ସୁବିଧା ଦେଇଥାଏ। ଅର୍ଥାତ୍ ଯଦି ଆପଣ ମେଟ୍ରୋ ସହରରେ ରହୁଛନ୍ତି ତେବେ ମାସରେ ୮ଥର ଏଟିଏମରୁ ଟଙ୍କା ବାହାର କରିବା ଦ୍ବାରା ଆପଣଙ୍କଠୁ କୌଣସି ପ୍ରକାରର ଚାର୍ଜ ନିଆଯିବନି କିନ୍ତୁ ଅଧିକ ଥର ବାହାର କରିଲେ ଆପଣଙ୍କୁ ଜୋରିମାନା ଭରିବାକୁ ପଡ଼ିବ।

ଏସବିଆଇ ଏଟିଏମରୁ ଟଙ୍କା ବାହାର କରିବାର ନିୟମ ମୁତାବକ ମେଟ୍ରୋ ସହରରେ ଏସବିଆଇର ଆକାଉଣ୍ଟଧାରୀ ୫ଥର ଏସବିଆଇ ଏଟିଏମରୁ ନେଣଦେଣ କରିପାରିବେ ଏବଂ ୩ଥର ଅନ୍ୟ ବ୍ୟାଙ୍କର ଏଟିଏମର ବ୍ୟବହାର କରିପାରିବେ। ମେଟ୍ରୋ ସହରରେ ମୁମ୍ବାଇ,ନୂଆଦିଲ୍ଲୀ,ଚେନ୍ନାଇ,କୋଲକାତା,ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ସାମିଲ ରହିଛି।

ଏହା ବ୍ୟତୀତ ଅଣ-ମେଟ୍ରୋ ସହରରେ ଏସବିଆଇର ଆକାଉଣ୍ଟଧାରୀ ୧୦ଥର ଏଟିଏମରୁ ମାଗଣାରେ ନେଣଦେଣ କରିପାରିବେ। ଏଥିରେ ୫ଥର ଏସବିଆଇ ଏଟିଏମରୁ ଏବଂ ୫ ଅନ୍ୟ ବ୍ୟାଙ୍କର ଏଟିଏମରୁ ନେଣଦେଣ କରାଯାଇପାରିବ। ଏହି ଲିମିଟକୁ ପାର କରିଲେ ବ୍ୟାଙ୍କ ଆପଣଙ୍କଠୁ ୧୦ଟଙ୍କାଠୁ ଆରମ୍ଭ କରି ୨୦ଟଙ୍କା ଯାଏଁ ଜିଏସଟି ଶୁଳ୍କ ଆଦାୟ କରିପାରେ।

ଏସବିଆଇର ଦ୍ବିତୀୟ ବଦଳିଥିବା ନିୟମ ମୁତାବକ ଯଦି ଏସବିଆଇର ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଟଙ୍କା ନାହିଁ,ସେ ଏପରି ସ୍ଥିତିରେ ଏଟିଏମରୁ ଟଙ୍କା ବାହାର କରୁଛି ଏବଂ ଟ୍ରାଞ୍ଜାକ୍ସନ ଫେଲ୍ ହୋଇଯାଉଛି ତେବେ ଏସବିଆଇ ଆକାଉଣ୍ଟଧାରୀଙ୍କୁ ଜୋରିମାନା ଭରିବାକୁ ପଡ଼ିବ। ବ୍ୟାଙ୍କ ଏଥିପାଇଁ ୨୦ଟଙ୍କା ଫାଇନ୍ ଏବଂ ଜିଏସଟି ଚାର୍ଜ କରିବ। ଅର୍ଥାତ୍ ଆପଣଙ୍କ ଆକାଉଣ୍ଟରେ ଟଙ୍କା ନଥିଲେ ଏଟିଏମର ବ୍ୟବହାର କଲେ ଜୋରିମାନା ଲାଗିବ।

ଏହା ବ୍ୟତୀତ ଯଦି ଆପଣ ଏସବିଆଇ ଏଟିଏମରୁ ୧୦ହଜାର ଟଙ୍କାରୁ ଅଧିକ ଟଙ୍କା ବାହାର କରୁଛନ୍ତି ତେବେ ଆପଣଙ୍କ ମୋବାଇଲରେ ଓଟିପି ପଠାଯିବ ଯାହାକୁ ଏଟିଏମରେ ଭରିବା ପରେ ହିଁ ଆପଣ ଟଙ୍କା ବାହାରି କରିବେ। ଏସବିଆଇର ଏଟିଏମରୁ ରାତି ୮ଟାରୁ କ୍ୟାଶ୍ ବାହାର କରିବା ପାଇଁ ଓଟିପି ଆବଶ୍ୟକତା ପଡ଼ିବ। ଯଦି ଆପଣ ଆଉ କେଉଁ ଏଟିଏମରୁ ଟଙ୍କା ବାହାର କରୁଛନ୍ତି ତେବେ ଓଟିପିର ଆବଶ୍ୟକତା ପଡ଼ିବ ନାହିଁ।

ଏସବିଆଇ ବ୍ୟାଙ୍କ ଆକାଉଣ୍ଟରେ ମାସକରେ ୧,୦୦,୦୦୦ଟଙ୍କାରୁ ଅଧିକ ବାଲାନ୍ସ ରଖୁଥିବା ସେଭିଂ ଆକାଉଣ୍ଟ ହୋଲଡରଙ୍କ ପାଇଁ ଅସୀମିତ ନେଣଦେଣର ସୁବିଧା ଦେଉଛି। ଅର୍ଥାତ୍ ଯଦି ଆପଣଙ୍କ ଆକାଉଣ୍ଟରେ ମାସକରେ ଲକ୍ଷେ ଟଙ୍କା ରହିଥାଏ ତେବେ ଆପଣ ଏଟିଏମରୁ ଯେତେ ଥର ନେଣଦେଣ କରିପାରିବେ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂଆ ନିୟମ ଅନୁସାରେ ଗ୍ରାହକଙ୍କୁ ଏବେ ଏସଏମଏସ ଆଲର୍ଟ ପାଇଁ କୌଣସି ପ୍ରକାରର ଚାର୍ଜ ଦେବାକୁ ପଡ଼ିବ ନାହିଁ। ଏସବିଆଇ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରୁ ରେଜିଷ୍ଟାର୍ଡ଼ ମୋବାଇଲ୍ ନମ୍ବରରେ ଆସୁଥିବା ଏସଏମଏସ ଆଲର୍ଟ ଚାର୍ଜ ବନ୍ଦ କରି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.