ସୋସିଆଲ ମିଡିଆରେ ଅଭିଯୋଗ କରିପାରିବେନି SBI ଓ PNB କର୍ମଚାରୀ, ଲାଗିଲା କଟକଣା
16/04/2020 at 5:59 PM

ନୂଆଦିଲ୍ଲୀ ୧୬।୪: ଦେଶରେ କରୋନା ଲକଡାଉନ ବେଳେ ବ୍ୟାଙ୍କମାନଙ୍କରେ ହେଉଥିବା ଭିଡ ନେଇ ସୋସିଆଲ ମିଡିଆରେ ମତମନ୍ତବ୍ୟର ଏବେ ସୁଅ ଛୁଟିଛି। ତେବେ ଏଥିରେ ଭାରତୀୟ ଷ୍ଟେଟ୍ବ୍ୟାଙ୍କ (ଏସବିଆଇ) ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସେମାନଙ୍କ କର୍ମଚାରୀଙ୍କୁ ଏଥିରେ କୌଣସି ପ୍ରକାର ଭାଗ ନନେବାକୁ କଟକଣା ଜାରି କରିଛନ୍ତି। ଲକଡାଉନ ସମୟରେ ବ୍ୟାଙ୍କରେ କାମ ଲାଗି ଲୋକଙ୍କ ଲମ୍ବାଧାଡି ସାମାଜିକ ଦୂରତା ଲାଗି ସରକାରଙ୍କ ପଦକ୍ଷେପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ କରୋନା ସଂକ୍ରମଣ ପରଠାରୁ ବ୍ୟାଙ୍କମାନେ ନିଜର ନୀତି ପରିବର୍ତ୍ତନ କରିବା ସହ ବ୍ୟାଙ୍କ ପରିସରର ପରିସ୍କାର ଓ ପରିଛନ୍ନତା ଉପରେ ପ୍ରାଥମିକତା ଦେଉଛନ୍ତି। ଏଥିରେ କର୍ମଚାରୀଙ୍କ ସ୍ୱଚ୍ଛତା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି। ତେବେ ଲକଡାଉନରେ କେନ୍ଦ୍ର ସରକାର ପ୍ରଭାବିତ ଲୋକଙ୍କ ଲାଗି ହାତକୁ ନେଇଥିବା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ଦିଆଯାଉଥିବା ନଗଦ ହିଁ ବ୍ୟାଙ୍କମାନଙ୍କରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି କରିଛି।

ତେବେ ବ୍ୟାଙ୍କରେ ଲୋକଙ୍କ ଲମ୍ବାଧାଡି ନିୟନ୍ତ୍ରିତ କରିବା କର୍ତ୍ତୃପକ୍ଷଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିବା ବେଳେ ସୋସିଆଲ ମିଡିଆରେ ଏହାର ଛବି ଭାଇରାଲ ହେଉଛି। ପୋଲିସ ଏଥିଲାଗି ବ୍ୟାଙ୍କ କର୍ମଚାରୀଙ୍କୁ ଦାୟୀ କରିବା ସହ ସେମାନଙ୍କୁ ହଇରାଣ ମଧ୍ୟ କରୁଛି। ଏଥିରେ ସୋସିଆଲ ମିଡିଆରେ ଏପରି ଫଟୋ ଓ ଭିଡିଓ ପୋଷ୍ଟ ନ କରିବାକୁ ବ୍ୟାଙ୍କମାନେ ସେମାନଙ୍କ କର୍ମଚାରୀଙ୍କୁ କଡା ତାଗିଦ କରିଛନ୍ତି।

ଲୋକେ ସରକାରୀ ଟଙ୍କା ସେମାନଙ୍କ ଖାତାରେ ଆସିଛି କି ନା ଜାଣିବା ଲାଗି ଖାତା ଅପଡେଟ୍ ନିମନ୍ତେ ବ୍ୟାଙ୍କରେ ଧାଡି ବାନ୍ଧୁଛନ୍ତି। ଏଥିଲାଗି ସେମାନେ ସାମାଜିକ ଦୂରତା ମଧ୍ୟ ରଖୁନଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ହଇରାଣ କରୁଛନ୍ତି। ଏଣୁ କର୍ମଚାରୀମାନେ ଚାପଗ୍ରସ୍ତ ହୋଇ ସେମାନଙ୍କ ସୋସିଆଲ ମିଡିଆରେ ଏଭଳି ଫଟୋ ଓ ଭିଡିଓ ସେୟାର କରି ଅଭିଯାଗ କରୁଥିବାର ବ୍ୟାଙ୍କମାନେ କହିଛନ୍ତି। ତେବେ ଏଣିକି ସେମାନେ ଯେପରି ଏଭଳି ଅଭିଯୋଗ ନ କରନ୍ତି ସେଥିଲାଗି ବ୍ୟାଙ୍କମାନେ ସତର୍କ କରାଇ ଦେଇଛନ୍ତି।