ଚୀନ ଗାଲରେ ଥାପ୍ପଡ, ନୋ ଟୁ ଚାଇନା ପ୍ରଡକ୍ଟ : ଏବେ ଇ-କମର୍ସ ସାଇଟ୍ରେ ଭାରତ ତିଆରି ସାମଗ୍ରୀରେ ଲେଖା ହେବ ‘ମେଡ୍ ଇନ୍ ଇଣ୍ଡିଆ’
19/06/2020 at 7:39 PM

ନୂଆଦିଲ୍ଲୀ, ୧୯|୦୬: ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏହା ମଧ୍ୟରେ ଦେଶରେ ମଧ୍ୟ ଚାଇନା ସାମଗ୍ରୀ ବର୍ଜନ କରିବାକୁ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ସରକାର ମଧ୍ୟ ଆମଦାନୀ ହେଉଥିବା ସାମଗ୍ରୀ ଉପରେ କଷ୍ଟମ ଚାର୍ଜ ବୃଦ୍ଧି କରିବା ଦିଗରେ ବିଚାର କରୁଛି । ଏହାସହ ଇ କମର୍ସ କମ୍ପାନୀ ପାଇଁ ମଧ୍ୟ ସରକାର ନୂଆ ପଲିସି ଆଣିବାକୁ ଯାଉଛନ୍ତି । ଅତିଶୀଘ୍ର ଇ-କମର୍ସ ପଲିସିରେ ପରିବର୍ତ୍ତନ କରାଯିବ । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଏହାର ଚୁଡାନ୍ତ ରୂପରେଖ ପ୍ରସ୍ତୁତ କରିବ । ନୂଆ ପଲିସିରେ ସାମଗ୍ରୀର ଉତ୍ପାଦକ ବାବଦରେ ତଥ୍ୟ ରହିବ । ଏହା ମେଡ୍ ଇନ୍ ଇଣ୍ଡିଆ ନା ନାହିଁ ତାହା ଜାଣିହେବ ।
ଯଦି ଏପରି ପଲିସି ଆସେ ତେବେ ଏହା ସକରାତ୍ମକ ପଦକ୍ଷେପ ହେବ । ଗୋଟିଏ ପଟେ ଚୀନ ସାମଗ୍ରୀରର ପ୍ରଚଳନ କମ ହେବ । ଅନ୍ୟପଟେ ଆତ୍ମନିର୍ଭର ଭାରତ ମିଶନକୁ ଫାଇଦା ମିଳିବ । ଏହାସହ ଗ୍ରାହକଙ୍କୁ ସ୍ଥାନୀୟ ସାମଗ୍ରୀ କିଣିବାକୁ ସୁଯୋଗ ମିଳିବ ।
ଡିପାର୍ଟମେଣ୍ଟ ଫର୍ ପ୍ରମୋଶନ ଅଫ୍ ଇଣ୍ଡଷ୍ଟ୍ରୀ ଆଣ୍ଡ ଇଣ୍ଟରନାଶନାଲ ଟ୍ରେଡ୍ ଗତ ବର୍ଷ ନ୍ୟାଶନାଲ ଇ-କମର୍ସ ପଲିସିକୁ ପ୍ରସ୍ତୁତ କରିଥିଲା । ଏଥିରେ ଇ-କମର୍ସ କମ୍ପାନୀ ନିଜ ଓ୍ୱେବସାଇଟରେ ସମସ୍ତ ସାମଗ୍ରୀର ତଥ୍ୟ ସୂଚୀତ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା ।
ସୂଚନାଯୋଗ୍ୟ, ଗତ ଆର୍ଥିକ ବର୍ଷରେ ଚୀନ ଭାରତ ସହ ୪୭ ଆରବ ଡଲାରର କାରବାର କରିଛି । ଏହା ମଧ୍ୟରେ ଖେଳଣା, ଘରୋଇ ସାମଗ୍ରୀ, ମୋବାଇଲ ଫୋନ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ସୌନ୍ଦର୍ଯ୍ୟ ପ୍ରସାଧାନ ଆଦି ରହିଛି । ଏପରିକି ଭାରତର ମୋଟ ଆମଦାନୀରେ ଚୀନର ୧୪ ପ୍ରତିଶତ ଅଂଶ ରହିଛି ।