ଭୋଜିରେ ସଉତୁଣୀ ସହ ଝଗଡା, ଘରକୁ ଆସି ଆତ୍ମହତ୍ୟା କରିଦେଲା ଦ୍ୱିତୀୟ ସ୍ତ୍ରୀ !

Published By : Prameya-News7 Bureau | September 11, 2021 IST

ପାଟଣା, ୧୧।୦୯ :  କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖିଞ୍ଚିବେଡା ଗ୍ରାମର ମୁଣ୍ଡା ସାହିରେ ଘଟିଛି ଅଭାବନୀୟ ଘଟଣା । ସାହିର ବିଷ୍ଣୁ ମୁଣ୍ଡାଙ୍କ ଦ୍ଵିତୀୟ ପତ୍ନୀ ରିନା ମୁଣ୍ଡା ଘର ଭିତରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପାଟଣା ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗ୍ରାମର ବିଷ୍ଣୁ ମୁଣ୍ଡା ୧୨ ବର୍ଷ ପୂର୍ବରୁ ପ୍ରଥମ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀ ଛାଡି ପଳାଇବା ପରେ ରିନାଙ୍କୁ  ଦ୍ୱିତୀୟ ବିବାହ କରିଥିଲେ  । ଶୁକ୍ରବାର ସନ୍ଧ୍ୟାରେ ଗ୍ରାମରେ ଏକ ଭୋଜିରେ ଦୁଇ ସଉତୁଣୀଙ୍କ ମଧ୍ୟରେ ଦେଖା ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ରିନା ବିଳମ୍ବିତ ରାତିରେ ଦ୍ଵିତୀୟ ପତ୍ନୀ ରିନା ନିଜ ପିନ୍ଧା ଲୁଗାକୁ ବେକରେ ଲଗାଇ ଘର ଭିତରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା ।  ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.