Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ICC ଚେୟାରମେନ୍ ପଦବୀ ଦୌଡରେ ସୌରଭ ଗାଙ୍ଗୁଲି, ବ୍ରିଟେନର କଲିନ୍ ଗ୍ରେବ୍ସ୍ ବି ଅଛନ୍ତି ରେସ୍‌ରେ

2/07/2020 at 1:29 PM

ନୂଆଦିଲ୍ଲୀ ୨।୭: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ( ଆଇସିସି) ଚେୟାରମେନ୍‌ ପଦବୀ ଲାଗି ଆଗାମୀ ସପ୍ତାହରେ ନିର୍ବାଚନ ହୋଇପାରେ। ଏଥିରେ ପ୍ରାର୍ଥୀ ହେବା ଲାଗି ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ୍‌ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କର ସମସ୍ତ ଯୋଗ୍ୟତା ଅଛି। ଗାଙ୍ଗୁଲିଙ୍କ ସହ ଏହି ପଦବୀ ଲାଗି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ୭୨ ବର୍ଷ ବୟସ୍କ କଲିନ୍‌ ଗ୍ରେବ୍ସ ମଧ୍ୟ ଦାବିଦାର ହୋଇପାରନ୍ତି। ତେବେ ଗାଙ୍ଗୁଲି ଆଇସିସି ଚେୟାରମ୍ୟାନ୍‌ ପଦବୀ ଲାଗି ପ୍ରାର୍ଥୀ ହେବ କି ନା ତାହା ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଲୋଢା କମିଟି ସୁପାରିସ ଉପରେ ନିର୍ଭର କରେ। ଯଦି ତାଙ୍କୁ ଆଇସିସି ଚେୟାରମେନ୍‌ ପଦବୀ ସହ ବିସିସିଆଇ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ରହିବାର ସୁଯୋଗ ଦିଆଯାଏ ତେବେ ସେ ପ୍ରତିଦ୍ୱନ୍ଦ୍ୱୀତା କରିବା ନିଶ୍ଚିତ।

ସେପଟେ କ୍ରିକେଟ୍‌ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ମୁଖ୍ୟ ଡେଭ କ୍ୟାମେରନ୍, ନ୍ୟୁଜିଲ୍ୟାଣ୍ଡର ଗ୍ରୋଗର ବାର୍କଲେ ଓ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର କ୍ରିସ୍‌ ନେନ୍‌ଜୀ ମଧ୍ୟ ଏହି ପଦବୀ ଲାଗି ପୂର୍ବରୁ ଆଗ୍ରହୀ ଅଛନ୍ତି। ସମ୍ବିଧାନ ଅନୁସାରେ ଗାଙ୍ଗୁଲିଙ୍କ ବିସିସିଆଇରେ ପଦାଧିକାରୀ ଭାବେ ୬ବର୍ଷର କାର୍ଯ୍ୟକାଳ ଜୁଲାଇ ୩୧ ତାରିଖରେ ଶେଷ ହେଉଛି। ଏଣୁ ଆଇସିସି ଚେୟାରମେନ ପଦବୀ ଲାଗି ସେ ଦାବିଦାର ହୋଇପାରନ୍ତି।

ଆଇସିସି ଚେୟାରମ୍ୟାନ୍‌ ଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ସମାପ୍ତ ହେବା ସହ ସେ ଦାୟିତ୍ୱରୁ ଓହରି ଯାଇଛନ୍ତି। ଏଣୁ ଏହି ପଦବୀ ନିମନ୍ତେ ନିର୍ବାଚନ ନିଶ୍ଚିତ ହୋଇସାରିଥିବା ବେଳେ ଗତ ୨୦୧୫ ମସିହାରେ ମନୋହର ଏହି ପଦବୀଗ୍ରହଣ କରିଥିଲେ। ଏବେ ସେ ପଦବୀରୁ ଇସ୍ତଫା ଦେବା ପରେ ଉପାଧ୍ୟକ୍ଷ ଇମ୍ରାନ୍‌ ଖ୍ୱାଜା ଏବେ ପରିଷଦର ଅନ୍ତରୀଣ ଚେୟାରମେନ୍‌ ଦାୟିତ୍ୱ ତୁଲାଉଛନ୍ତି।

   Related Posts