ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ,୨୨/୦୧ :  ୟେମେନରେ ସାଉଦି ମେଣ୍ଟର ଏୟାର ଷ୍ଟ୍ରାଇକକୁ ନିନ୍ଦା କରିଛି ୟୁଏନ ବା ଜାତିସଂଘ । ୟୁଏନର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ସାଉଦିର ଏପରି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି । ଯେଉଁଥିରେ ୭୦ଜଣ ବିଦ୍ରୋହୀ ପ୍ରାଣ ହରାଇଥିବା ସୂଚନା ମିଳିଥିଲା ।

ଏହି ଏୟାରଷ୍ଟ୍ରାଇକ ହାଉଥି ଅଞ୍ଚଳରେ ଥିବା ଏକ ଜେଲ୍ ଉପରେ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ଥିବା ସୂଚନା ମିଳିଛି । ଆହୁରି ମଧ୍ୟ ଶତାଧିକ ଗୁରୁତର ହୋଇଥିବା ସ୍ଥାନୀୟ ମିଡିଆ ରିପୋର୍ଟରୁ ଜଣାପଡିଛି । ଆକ୍ରମଣ ପରେ ୟେମେନରେ ଇଣ୍ଟରନେଟ୍ ସେବା ପ୍ରଭାବିତ ହୋଇଛି ।

ଗୁଟେରସ କହିଛନ୍ତି ଯେ, ଯୁଦ୍ଧ ଓ ହିଂସା ବନ୍ଦ ହେବା ଦରକାର । ଏହି ଆକ୍ରମଣକୁ ସେ ଦୃଢ ଭାବେ ନିନ୍ଦା କରୁଛନ୍ତି । ଜେଲ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏହା ନୂଆ ନୁହେଁ, ପୂର୍ବରୁ ମଧ୍ୟ ସାଉଦି ଆରବର ମେଣ୍ଟ ଅନେକ ଥର ୟେମେନର ହାଉଥି ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରିଛି ।

ୟୁଏନରେ ଅବସ୍ଥାପିତ ୟୁଏନର ରାଷ୍ଟ୍ରଦୂତ ଲାନା ନୁସେଇବେ କହିଛନ୍ତି ଯେ, ସେମାନଙ୍କ ମେଣ୍ଟ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ଅଛି । ସେନା ହାଉଥି ବିଦ୍ରୋହୀଙ୍କ ବିରୋଧରେ ଅପରେସନ ପାଇଁ କେବେ ପଛଘୁଞ୍ଚା ଦେବ ନାହିଁ ।

ସୂଚନାଯୋଗ୍ୟ, ସୋମବାର ଇରାନର ପୃଷ୍ଠପୋଷକତାରେ ୟେମେନ ବିଦ୍ରୋହୀମାନେ ସାଉଦି ଉପରେ ଆକ୍ରମଣ କରିଥିଲେ । ଯାହାର ପ୍ରତିଶୋଧ ନେବାକୁ ଯାଇ ସାଉଦି ଏପରି କରିଥିବା କୁହାଯାଉଛି । ୨୦୧୫ରୁ ଉଭୟ ଦେଶ ମଧ୍ୟରେ ବିବାଦ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.