ସାଉଦି ଆରବରେ ଶେଷ ହେଲା ଚାବୁକ ପ୍ରହାର ଯୁଗ

Published By : Prameya-News7 Bureau | April 25, 2020 IST

ନୂଆଦିଲ୍ଲୀ ୨୫।୦୪: ସାଉଦି ଆରବରେ ବହୁ ବର୍ଷ ଧରି ସଜା ରୂପେ ପ୍ରଚଳିତ ଚାବୁକ ପ୍ରହାର ଯୁଗ ଶେଷରେ ପରିସମାପ୍ତି ଘଟିଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ସଜା ଉପରେ ରୋକ୍ ଲଗାଇଛନ୍ତି।

ସୁପ୍ରିମକୋର୍ଟର ଜେନେରାଲ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସଜା ପରିବର୍ତ୍ତେ ଦୋଷୀଙ୍କୁ ଜେଲ୍ ଦଣ୍ଡ ଓ ଜୋରିମାନା ଲଗାଇବାକୁ ସୁପାରିଶ କରାଯାଇଛି। ମାନବାଧିକାର ସୁଧାରକୁ ଦୃଷ୍ଟିରେ ରଖି କିଙ୍ଗ ସଲମାନଙ୍କ ନିର୍ଦ୍ଦେଶରେ ଏବଂ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ପର୍ଯ୍ୟବେକ୍ଷଣରେ ଏହି ନିଷ୍ପତ୍ତି ନିଆଯାଇଛି।

ସାଉଦି ଆରବରେ ବିଭିନ୍ନ ଅପରାଧିକ ଘଟଣାରେ ଦୋଷୀଙ୍କୁ ଦଣ୍ଡସ୍ଵରୂପ ଚାବୁକ ପ୍ରହାର ଦିଆଯାଏ।  ଅଧିକାଂଶ ସାର୍ବଜନୀନ ନିଶା ସେବନ, ଉତ୍ପୀଡନ ଓ ବିବାହ ପରେ  ବି ବଳପୂର୍ବକ ଯୌନ ସମ୍ବନ୍ଧ ସହିତ ଅନେକ ଅପରାଧରେ ସେଠାକାର ନ୍ୟାୟାଧୀଶ ଚାବୁକପ୍ରହାର ଦଣ୍ଡ ଦେଇଥାନ୍ତି।

ଏହି ସୁଧାର ସାଉଦି ଆରବର ମାନବାଧିକାର ଏଜେଣ୍ଡାରେ ଏକ ମହତ୍ଵପୂର୍ଣ୍ଣ ପଦକ୍ଷେପ ଏବଂ ଦେଶରେ ହୋଇଥିବା ଅନେକ ସୁଧାର ମଧ୍ୟରୁ ଏକ। କିନ୍ତୁ ଅନ୍ୟ ଅପରାଧ ଯେପରି ଚୋରି କିମ୍ବା ହତ୍ୟା ଓ ଆତଙ୍କବାଦ ଅପରାଧ ପାଇଁ ଚାବୁକ ଦଣ୍ଡକୁ ବେଆଇନ ଘୋଷିତ କରାଯାଇ ନାହିଁ।

ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ, ମାତ୍ର ଏହା ବହୁ ବର୍ଷ ପୂର୍ବରୁ ହେବାର ଥିଲା ବୋଲି ମାନବାଧିକାର କର୍ମୀ ଆାଡାମ କୁଗୁଲ କହିଛନ୍ତି। ସାଉଦିର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ନବୀନତମ ସୁଧାରର ଉଦ୍ଦେଶ୍ୟ ଶାରୀରିକ ଦଣ୍ଡ ବିରୋଧରେ ଅନ୍ତରାଷ୍ଟ୍ରୀୟ ମାନବାଧିକାର ମାନଦଣ୍ଡର ଅନୁରୂପ ଦେଶକୁ ଆଣିବାର ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.