ସାଉଦି ଆରବର ଏହି ପଦକ୍ଷେପରେ ଶସ୍ତା ହେବ ପେଟ୍ରୋଲ-ଡିଜେଲ୍ ଦର
10/03/2020 at 9:53 PM

ରିୟାଦ ୧୦।୦୩ : ଅଶୋଧିତ ତୈଳ ବଜାରରେ ବିଶ୍ଵର ସବୁଠୁ ବଡ କମ୍ପାନୀ ସାଉଦି ଆରାମକୋ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ଅଶୋଧିତ ତୈଳ ଦର ହ୍ରାସ ପାଇପାରେ। ଏହା ସହିତ ସାଉଦି ଆରବ ଓ ରୁଷ ମଧ୍ୟରେ ତେଲ ଦର ନେଇ ଜାରି ଲଢେଇର ଫାଇଦା ଗ୍ରାହକଙ୍କୁ ମିଳିପାରେ।
ଆରାମକୋ ମଙ୍ଗଳବାର କହିଛି ଯେ, କମ୍ପାନୀ ଅଶୋଧିତ ତୈଳର ଦୈନିକ ଉତ୍ପାଦନ ଏପ୍ରିଲରେ ୧.୨୩ କୋଟି ବ୍ୟାରେଲ୍ ପର୍ଯ୍ୟନ୍ତ ବୃଦ୍ଧି କରିବ। ସଂପ୍ରତି କମ୍ପାନୀ ଦିନକୁ ୧.୨ କୋଟି ବ୍ୟାରେଲ୍ ତୈଳ ଉତ୍ପାଦନ କରିବାର ସାର୍ମଥ୍ୟ ରହିଛି। କମ୍ପାନୀ ଏବେ ଦିନକୁ ୯୮ ବ୍ୟାରେଲ୍ ତୈଳ ଉତ୍ପାଦନ କରୁଛି। ଏପ୍ରିଲ ପର୍ଯ୍ୟନ୍ତ ଏହା ଆହୁରି ୨୨ ଲକ୍ଷ ବ୍ୟାରେଲ୍ ତୈଲ ଉତ୍ପାଦନ ବୃଦ୍ଧି କରିବ। ଘରୋଇ ପୁଞ୍ଜି ବଜାରକୁ କମ୍ପାନୀ ଦେଇଥିବା ବୟାନରେ କହିଛି ଯେ, କମ୍ପାନୀ ଆଶା ରଖିଛି ଯେ, ଏହାର ଦୀର୍ଘକାଳୀନ ଆର୍ଥିକ ଅନୁକୂଳ ପ୍ରଭାବ ରହିବ। ସାଉଦି ଆରବର କହିବା କଥା ତୈଳ ଉତ୍ପାଦନ ବୃଦ୍ଧି ଫଳରେ ଘରୋଇ ବଜାରରେ ତୈଳ ଦର ହ୍ରାସ ଘଟିବ।
ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଗତକାଲି ୩୧ ପ୍ରତିଶତ ହ୍ରାସ ପାଇଛି। ସାଉଦି ମଧ୍ୟ ରୁଷଠୁ ପ୍ରତିଶୋଧ ନେଇ ଦର ହ୍ରାସ କରିଛି କାରଣ ରୁଷ ତୈଳ ଉତ୍ପାଦନ ହ୍ରାସ କରିବା ନେଇ ସାଉଦି ଆରବର ପ୍ରସ୍ତାବକୁ ମାନି ନାହିଁ। ଫଳସ୍ଵରୂପ ସାଉଦି ଆରବ ଓ ରୁଷ ମଧ୍ୟରେ ତୈଳ ଦର ଲଢେଇ ଆରମ୍ଭ ହୋଇ ଯାଇଛି। ଏଥିରେ ଭାରତକୁ ଶୀଘ୍ର ଫାଇଦା ମିଳିବାକୁ ଯାଉଛି। ଯଦି ୩୦ ପ୍ରତିଶତ ହ୍ରାସ ଦୃଷ୍ଟିରେ ଦେଖାଯାଏ ତେବେ ହ୍ରାସ ପାଇବାକୁ ଥିବା ଆମଦାନୀ ଶୁଳ୍କର ଫାଇଦା ଗ୍ରାହକଙ୍କ ପର୍ଯ୍ୟନ୍ତ ପହଞ୍ଚିବ ଏବଂ ଘରୋଇ ବଜାରରେ ପେଟ୍ରୋଲ ଲିଟର ପିଛା ୫୦ ଟଙ୍କାରେ ପହଞ୍ଚିପାରେ। ଆଜି ସମଗ୍ର ଦେଶରେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କାରେ ବିକ୍ରି ହେଉଛି।