ଭୁଲ୍ ସ୍ବୀକାର କଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, କରୋନା ପଜିଟିଭ ଥାଇ ମହାରଥୀଙ୍କ ଶେଷକୃତ୍ୟରେ ହୋଇଥିଲେ ସାମିଲ

Published By : Prameya-News7 Bureau | October 10, 2020 IST

ପୁରୀ ୧୦।୧୦: ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ନିଜ ଭୁଲ ସ୍ବୀକାର କରିଛନ୍ତି । ସେ କହିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ତାଙ୍କୁ ମର୍ମାହତ କରିଥିଲା । କରୋନା ପଜିଟିଭ ଥାଇ ମଧ୍ୟ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ସ୍ବର୍ଗଦ୍ବାରକୁ ଯାଇଥିଲି । ଆଇନର ଉର୍ଦ୍ଧ୍ବରେ କେହି ନାହିଁ । ଯାହା ବି କାର୍ଯ୍ୟାନୁଷ୍ଠାନ ହେବ ମାନିନେବେ ବୋଲି ଉମା ସାମନ୍ତରାୟ କହିଛନ୍ତି ।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ସମୟରେ ସ୍ବର୍ଗଦ୍ବାରା କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏ ନେଇ ସୂଚନା ଦେଇଥିଲେ ଏସପି ଅଖିଳେଶ୍ବର ସିଂହ ।

ଏସପି କହିଥିଲେ ଯେ, ମନ୍ତ୍ରୀ ସମୀର ଦାଶ ଓ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । କିନ୍ତୁ କରୋନା ପଜିଟିଭ୍‌ ବ୍ୟକ୍ତି ୧୭ ଦିନ କ୍ବାରେଣ୍ଟାଇନ୍‌ରେ ରହିବା ନିୟମ ଅନୁଯାୟୀ ମନ୍ତ୍ରୀ ସମୀର ଦାଶ ଠିକ୍‌ ଥିଲେ । ମନ୍ତ୍ରୀଙ୍କ ପଜିଟିଭ ହେବାକୁ ୨୨ ଦିନ ହୋଇଯାଇଥିଲା । ମନ୍ତ୍ରୀଙ୍କୁ ସରକାର ପ୍ରତିନିଧି ରୂପେ ପଠାଇଥିଲେ । କିନ୍ତୁ ବିଧାୟକ ଏହି ନିୟମ ଉଲ୍ଲଂଘନ କରିଥିଲେ । ତେଣୁ ତାଙ୍କ ବିରୋଧରେ ସମୁଦ୍ରକୂଳ ଥାନାରେ ୨୬୯, ୨୭୦ ଓ ୩ ମହାମାରୀ ଆଇନ୍ ଅନୁଯାୟୀ ମାମଲା (୧୬୧/୨୦) ରୁଜୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.