ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌

Published By : Prameya-News7 Bureau | April 19, 2021 IST

 ଭୁବନେଶ୍ବର ୧୯/୦୪ : ସାରା ରାଜ୍ୟରେ ସପ୍ତାହନ୍ତ ସଟ୍‌ଡାଉନ୍‌ । ଶନିବାର ଏବଂ ରବିବାର ରାଜ୍ୟର ସମସ୍ତ ଜିଲ୍ଲାର ସହରାଞ୍ଚରେ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର । ମେ ୧୫ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ସପ୍ତାହନ୍ତ ସଟ୍‌ଡାଉନ୍‌ । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେଉଥିବାରୁ ସଂକ୍ରମଣ କମାଇବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା ସହିତ ୩୦ଟି ଯାକ ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକ ସେବାକୁ ସଟ୍‌ଡାଉନ୍‌ ନିୟମରୁ ବାଦ ଦିଆଯାଇଛି ।

ସ୍ବତନ୍ତ୍ର ରିଲିଫ୍‌ କମିସନର କହିଛନ୍ତି, 'ମହାରାଷ୍ଟ୍ର, ଛତିଶଗଡ, ଦିଲ୍ଲୀ, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଲାଗୁ ହେବା ଆଶଙ୍କା ଦେଖା ଦେଇଛି । ଦିଲ୍ଲୀ ସରକାର ମଧ୍ୟ ରାଜ୍ୟରେ ୭ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ସେହିଭଳି ଓଡିଶାରେ ମଧ୍ୟ ସଂକ୍ରମଣ କ୍ଷୀପ୍ର ଗତିରେ ବୃଦ୍ଧି ପାଉଛି । ରାଜ୍ୟ ସରକାର କୋଭିଡ୍‌-୧୯ ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଓଡିଶାରେ ପାଖାପାଖି ୧୦, ୫୦୦ରୁ ଉର୍ଦ୍ଧ୍ବ ବେଡ୍‌ ପ୍ରସ୍ତୁତି କରି ରଖାଯାଇଛି। ବିବାହ କାର୍ଯ୍ୟ ପାଇଁ ଅତି ବେଶିରେ ୫୦ ଜଣଙ୍କୁ ସାମିଲ ପାଇଁ ଅନୁମତି ଦିଆଯାଇଛି । ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।'

ଏହା ସହିତ ରାଜ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି । ସାମାଜିକ କାର୍ଯ୍ୟାକ୍ରମ ଉପରେ ମଧ୍ୟ ରୋକ୍‌ ଲଗାଯାଇଛି । ଗାଁ ଗହଳିରେ କୌଣସି ସାମାଜିକ କାର୍ଯ୍ୟ, ଭୋଜି ଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ରୋକ୍‌ ଳଗାଯାଇଛି । ଅମାନିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା ।

କୁମ୍ଭ ମେଳାରୁ ରାଜ୍ୟକୁ ଫେରିଥିବା ଯାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ନିୟମାବଳୀ ଜାରି କରାଯାଇଛି । ସମସ୍ତଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ୧୪ ଦିନିଆ ହୋମ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିର୍ଦେଶ ଜାରି କରାଯାଇଛି । ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାନ୍ତୁ ଏବଂ କରୋନା ପରୀକ୍ଷା କରାବାକୁ କୁହାଯାଇଛି । କେବେ ଫେରିଛନ୍ତି ଏବଂ କେଉଁଠାରେ ସଂଘରୋଧରେ ରହିଛନ୍ତି ତାହା ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.