ଚାଲିଗଲେ ‘ମହାଭାରତ‘ର ଇନ୍ଦ୍ର, ପରିଣତ ବୟସରେ ବୃଦ୍ଧାଶ୍ରମରେ କଟିଥିଲା ଜୀବନ

Published By : Prameya-News7 Bureau | April 10, 2021 IST

ନୂଆଦିଲ୍ଲୀ  ୧୦/୪:  ପରଲୋକରେ ଟଭି ପରଦାର ଇନ୍ଦ୍ର। ବହୁ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ମହାଭାରତ’ରେ ଇନ୍ଦ୍ର ଭୂମିକାରେ ନଜର ଆସିଥିବା ସତୀଶ କୌଲଙ୍କ ପରଲୋକ ହୋଇଯାଇଛି। ମହାଭାରତ ବ୍ୟତୀତ ଅନ୍ୟ ଟିଭି ସିରିୟଲ ଏବଂ ପଞ୍ଜାବୀ ଫିଲ୍ମରେ ଅଭିନୟ କରିଥିଲେ ସତୀଶ କୌଲ। ତାଙ୍କ ବିୟୋଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଶୋକପ୍ରକାଶ କରିଛନ୍ତି।

ସତୀଶ କୌଲ ୩୦୦ ଫିଲ୍ମରେ ଅଭିନୟକ କରିଛନ୍ତି। ସେ ଶାହରୁଖ ଖାନ, ଅମିତାଭ ବଚ୍ଚନ, ଦେବ ଆନନ୍ଦ ଏବଂ ଦିଲ୍ଲୀପ କୁମାରଙ୍କ ଭଳି ବରିଷ୍ଠ ଅଭିନେତାମାନଙ୍କ ସହ କାମ କରିଥିଲେ। କାଶ୍ମୀରରେ ଜନ୍ମଗ୍ରହଣ କରିଥିବା ସତୀଶଙ୍କୁ ମୃତ୍ୟୁ ବେଳକୁ ୭୨ ବର୍ଷ ହୋଇଥିଲା। ସତୀଶ ବହୁ କଷ୍ଟ ସହିଥିଲେ। ନିଜ ଉଦ୍ୟମରେ ଆରମ୍ଭ କରିଥିବା ଏକ ଆକ୍ଟିଂ ସ୍କୁଲ ମଧ୍ୟ ଭଲ ଚାଲିନଥିଲା। ତାଙ୍କର ପାରିବାରିକ ଜୀବନ ବି କିଛି ଖାସ ନଥିଲା। ତାଙ୍କ ପତ୍ନୀ ତାଙ୍କୁ ଛାଡ଼ପତ୍ର  ଦେଇ ପିଲାମାନଙ୍କ ସହ ଆମେରିକା ପଳାଇଥିଲେ।

ପଞ୍ଜାବୀ ଏବଂ ହିନ୍ଦୀ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟତା ପାଇଥିବା ସତୀଶ କୌଲ ପ୍ୟାର ହି ହୋନା ହି ଥା, ଆଣ୍ଟି ନମ୍ବର ୧, ଜଂଜୀର, ୟାରାନା, ଏଲାନ, ଇଲଜାମ, ଶିବା କା ଇନସାଫ୍‌ ଏବଂ କସମ ଭଳି ଫିଲ୍ମରେ କାମ କରିଥିଲେ। ସେ ପଞ୍ଜାବୀ ଫିଲ୍ମରେ ଅଭିନୟ କରି ପୁରଷ୍କୃତ ମଧ୍ୟ ହୋଇଥିଲେ। ପିଟିସି ପଞ୍ଜାବୀ ଫିଲ୍ମ ଆଓ୍ବାର୍ଡସ୍‌ରେ ସତୀଶ କୌଲଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ମିଳିଥିଲା।

ସେ ବହୁତ ବଡ଼ ବ୍ୟାନରରେ କାର୍ଯ୍ୟ କରିଥିଲେ। ବିଆର ଚୋପ୍ରାଙ୍କ ମହାଭରତରେ ଇନ୍ଦ୍ର ଭୂମିକାରେ ନଜର ଆସିଥିଲେ। କିନ୍ତୁ ପରିଣତ ବୟସରେ ସତୀଶ କଷ୍ଟ ମଧ୍ୟରେ ଜୀବନ ଅତିବାହିତ କରିଥିଲେ। ସତୀଶ କୌଲ ଲୁଧିଆନାର ବିବେକାନନ୍ଦ ବୃଦ୍ଧାଶ୍ରମରେ ରହୁଥିଲେ। ଶେଷ ବେଳକୁ ମେଡିକାଲ ବିଲ୍‌ ଭରିବାକୁ ବି ତାଙ୍କ ପାଖରେ ଟଙ୍କା ନଥିଲା। ତେବେ ସତୀଶ କୌଲଙ୍କ ନିଧନରେ ଉଭୟ ପଞ୍ଜାବୀ ଏବଂ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.