ଉପଗ୍ରହ ଟ୍ରାକିଂ ଦ୍ଵାରା ଟ୍ରେନ୍ ଚଳାଚଳରେ ପାରଦର୍ଶିତା ବୃଦ୍ଧି ହେବ, ଯୁକ୍ତି ରଖିଲେ ରେଳବାଇ ବୋର୍ଡ ଅଧ୍ୟକ୍ଷ
29/07/2020 at 4:44 PM

ନୂଆଦିଲ୍ଲୀ ୨୯।୦୭: କରୋନା ମହାମାରୀ ମଧ୍ୟରେ ରେଲଓ୍ଵେ ବୋର୍ଡର ଅଧ୍ୟକ୍ଷ ଭିକେ ଯାଦବ ମଙ୍ଗଳବାର କହିଛନ୍ତି ଟ୍ରେନ୍ର ସାଟେଲାଇଟ୍ ଟ୍ରାକିଂ ଜରିଆରେ ଟ୍ରେନ ସଞ୍ଚାଳନର ଦକ୍ଷତାରେ ସୁଧାର ଆସିଛି।
ରେଳ ମନ୍ତ୍ରଣାଳୟ ଟ୍ଵିଟ୍ କରିଛି, ଟ୍ରେନର ସାଟେଲାଇଟ୍ ଟ୍ରାକିଂ ଟ୍ରେନ ସଞ୍ଚାଳନ ଦକ୍ଷତାରେ ସୁଧାର ଆଣିଛି। ପ୍ରାୟ ୬୫୦୦ ଲୋକୋସ୍(ଇଲେକ୍ଟ୍ରିକ୍ ଏବଂ ଡିଜେଲ) ପୂର୍ବରୁ ଗ୍ଲୋବାଲ ପୋଜିସନିଂ ସିଷ୍ଟମ(ଜିପିଏସ) ସହ ସୁସଜ୍ଜିତ। ପ୍ରାୟ ୬୦୦୦ ଲୋକୋସକୁ ୨୦୨୧ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ କରାଯିବ।
ମହାମାରୀ ମଧ୍ୟରେ ରେଲଓ୍ଵେର ମାଲବାହୀ ଗାଡିର ହାରାହାରି ଗତି ସହିତ ମାଲ ପରିବହନ କ୍ଷମତା ମଧ୍ୟ ବୃଦ୍ଧି ଘଟିଛି। ରେଲଓ୍ଵେ ଏକ ବିଜ୍ଞପ୍ତିରେ କହିଛି ଜୁଲାଇ ୨୭ରେ ମାଲ ଲୋଡିଂ ୩.୧୩ ମିଲିୟନ ଟନ ଥିଲା, ଯାହା ଗତ ବର୍ଷ ତୂଳନାରେ ଅଧିକ ରହିଛି।
ଜୁଲାଇରେ ମାଲଗାଡିର ହାରାହାରି ଗତି ଘଣ୍ଟା ପ୍ରତି ୪୫.୦୩ କିଲୋମିଟର ରହିଛି ଯାହା ଗତ ବର୍ଷ ଏହି ମାସ(ଘଣ୍ଟା ପ୍ରତି ୨୩.୨୨କିମି)ତୂଳନାରେ ପ୍ରାୟ ଦୁଇଗୁଣ ଅଧିକ ରହିଛି। ଏହାର ଗୋଟିଏ ଦିନ ପୂର୍ବେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ କହିଥିଲେ ରେଲଓ୍ଵେ ବଢୁଥିବା ମାଲ ପରିବହନ ଦିଗରେ ପ୍ରଗତି ଘଟିଛି।
ରେଲ ମନ୍ତ୍ରୀ ଟ୍ଵିଟ୍ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଲଓ୍ଵେକୁ ଭାରତୀୟ ଅର୍ଥବ୍ୟବସ୍ଥାର ଗ୍ରୋଥ ଇଞ୍ଜିନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଭାରତୀୟ ରେଲଓ୍ଵେ ଶୀଘ୍ର, କୁଶଳ ଓ ଶସ୍ତାରେ ମାଲ ପରିବହନର ବାହକରେ ପରିଣତ ହୋଇଥିବା ରେଳ ମନ୍ତ୍ରୀ କହିଛନ୍ତି।