ବିମାନ ବନ୍ଦରରେ ସାଟେଲାଇଟ ଫୋନ ସହ ଧାରପଡିଲେ ୨ ବିଦେଶୀ ମହିଳା, ପଚରା ଉଚରା ଜାରି
25/10/2019 at 5:46 PM

ବାରଣାସୀ : ଲାଲବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶୁକ୍ରବାର ୨ ଜଣ ଆମେରିକୀୟ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବ୍ୟାଗେଜ୍ ରୁ ସାଟେଲାଇଟ୍ ଫୋନ ମିଳିଥିଲା। ତେବେ ଫୋନ ସନ୍ଦର୍ଭରେ ମହିଳାମାନେ କୌଣସି କାଗଜପତ୍ର ଉପସ୍ଥାପନ କରିପାରିନଥିଲେ। ଏଣୁ ସିଆଇଏସଏଫ ସୂଚନାରେ ସ୍ଥାନୀୟ ଗୁଇନ୍ଦା ବିଭାଗ ଓ ପୋଲିସ ସେମାନଙ୍କୁ ପଚରାଉଚରା ଲାଗି ଫୁଲପୁର ଥାନାକୁ ନେଇଯାଇଛି।

ସୂଚନା ଅନୁସାରେ ଦୁଇ ମହିଳା ଭାରତ ଭ୍ରମଣରେ ଆସିଛନ୍ତି। ସେମାନେ ନୂଆଦିଲ୍ଲୀରୁ ଟ୍ରେନ ଯୋଗେ ବାରଣାସୀ ଆସିଥିଲେ। ତେବେ ବାବତପୁର ବିମାନବନ୍ଦରରୁ ଦିଲ୍ଲୀ ଯିବା ଲାଗି ଇଣ୍ଡିଗୋ ବିମାନରେ ଉଠିବାକୁ ଯାଉଥିବା ବେଳେ ସିଆଇଏସଏଫ ସେମାନଙ୍କ ବ୍ୟାଗେଜରୁ ସାଟେଲାଇଟ୍ ଫୋନ ଜବତ କରିଥିଲା। ତେବେ ଭାରତରେ ସାଧାରଣ ନାଗରିକଙ୍କ ଲାଗି ସାଟେଲାଇଟ୍ ଫୋନ ନିଷିଦ୍ଧ ଥିବା ସମ୍ପର୍କରେ ସେମାନେ ଜାଣିନଥିବା କହିଛନ୍ତି। ଗୁଇନ୍ଦା ଓ ପୋଲିସ ଉଭୟ ସେମାନଙ୍କୁ ପଚରାଉଚୁରା କରିବା ସହ ସାଟେଲାଇଟ୍ ଫୋନର ଯାଞ୍ଚ କରାଯାଉଛି।

ସିଆଇଏସଏଫ ଆମେରିକୀୟ ମହିଳା ସୁସାନ ମୋନା ଷ୍ଟିନଙ୍କ ନିକଟରୁ ସାଟେଲାଇଟ୍ ଫୋନ ଜବତ କରିଛି। ତେବେ ତାଙ୍କୁ ଫୋନ ସମ୍ପର୍କରେ ପଚରା ଯିବାରୁ କୌଣସି ବୈଧ ଡକ୍ୟୁମେଣ୍ଟ ଦେଇପାରିନାହାନ୍ତି। ଏଣୁ ୱେୟାର୍ଲେସ ଟେଲିଗ୍ରାମ ଅଧିନିୟମ ଧାରାରେ ତାଙ୍କର ଗାର୍ମିନ ସାଟେଲାଇଟ୍ ଫୋନଟିକୁ ଜବତ କରାଯାଇଛି। ତେବେ ମହିଳା ଦ୍ୱୟ ଚୀନ, ତୀବତ, ନେପାଲ ଓ ଭୁଟ୍ଟାନ ପରେ ଭାରତ ଆସିଥିଲେ ବୋଲି ଜଣାପଡିଛି।