ପୁଣି ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ: ଏହି ଜିଲ୍ଲା ୮ ଦିନ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌, ଅଧିକାଂଶ ସହରରେ ଜାରି ରହିବ ଲକ୍‌ଡାଉନ୍‌

Published By : Prameya-News7 Bureau | July 03, 2021 IST

ମୁମ୍ବାଇ ୩/୦୭: କରୋନାର ଦ୍ବିତୀୟ ଲହର ପ୍ରକୋପ କମିବା ପରେ ମହାରାଷ୍ଟ୍ରରେ ୫ଟି ପର୍ଯ୍ୟାୟ ଦେଇ ଧିରେଧିରେ କଟକଣା କୋହଳ ହେଉଥିଲା। ଠିକ୍‌ ଏହାରି ମଧ୍ୟରେ କରୋନାର ଡେଲ୍‌ଟା ଭାରିଏଣ୍ଟ ପ୍ରକୋପ ବଢ଼ିବାରେ ଲାଗିଥିଲା। ଏହା ପରେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କଟକଣା କୋହଳ କରିବା ଉପରେ ପୁଣି ଥରେ ବିଚାର କରିଥିଲେ। ଏହା ସହ ୫ଟି ପର୍ଯ୍ୟାୟରେ କୋହଳ ହେବାକୁ ଥିବା କଟକଣାକୁ ୩ ପର୍ଯ୍ୟାୟରେ କରାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ।

କିନ୍ତୁ ପୁଣି ଥରେ ମହାରାଷ୍ଟ୍ରରେ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିଥିବା ଜଣାପଡ଼ିଛି। ଏହାକୁ ନଜରରେ ରଖି ସରକାର ସତରା ଜିଲ୍ଲାକୁ ୮ ଦିନ ଯାଏଁ ସମ୍ପୂର୍ଣ୍ଣ ସଟଡାଉନ୍‌ ଘୋଷଣା କରିଛନ୍ତି। ସତରା ଜିଲ୍ଲାରେ ଶନିବାରଠୁ ୮ ଦିନ ଯାଏଁ ସଟଡାଉନ୍‌ ଘୋଷଣା କରିବା ସହ ବିଭିନ୍ନ ସହରରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଲଗାଇଛନ୍ତି। ଏହା ବ୍ୟତୀତ ମୁମ୍ବାଇ, ପୁଣେ, ଥାଣେ, କଲ୍ୟାଣ ଡୋମ୍ବିବଲି, ପିମ୍ପିରି ଚିଞ୍ଚଓ୍ବାଡ୍‌, ନାଶିକ, ବସାଇ ବିରାର​​‌ରେ ଦୃଢ଼ ଭାବେ କଟକଣା ଲାଗୁ କରାଯିବ ବୋଲି ଜଣାପଡ଼ିଛି।

ସତରା ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଜିଲ୍ଲାପାଳ ଶେଖର ସିଂହ ୪ ପର୍ଯ୍ୟାୟ ବିଶିଷ୍ଟ କଟକଣା ଲଗାଇଛନ୍ତି। ସମ୍ପୂର୍ଣ୍ଣ ସଟଡାଉନ୍‌ ପରେ ମଧ୍ୟ ସୋମବାରଠୁ ଶୁକ୍ରବାର କଟକଣା ବଳବତ୍ତର ରହିବ। ଏହା ସହ ଶନିବାର ଏବଂ ରବିବାର ସ୍ବତନ୍ତ୍ର ନିୟମ ଲାଗୁ ରହିବ ବୋଲି ଜଣାପଡ଼ିଛି। ଏହି ସମୟରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଦୋକାନ ଏବଂ ସେବା ଜାରି ରହିବ। ଏବେ ଏବେ ମିଳିଥିବା ସୂଚନା ଅନୁସାରେ, ସତରା, ସଙ୍ଗଲି, କୋହ୍ଲାପୁର, ସୋଲାପୁର ଏବଂ ଅହମଦନଗର ଜିଲ୍ଲାରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.