ସାତକୋଶିଆରେ ଜବରଦସ୍ତ ପ୍ରେମ କାହାଣୀ

Published By : Prameya-News7 Bureau | July 29, 2018 IST

ବାଘ-ବାଘୁଣୀର ପ୍ରେମରେ ଦେବଦାସ ସିକ୍ୟୁଏଲ୍ । କାହ୍ନାର ପ୍ରେମ ଲାଗି ବନ୍ଦୀ ପଡ଼ି ଯାଇଛି ସୁନ୍ଦରୀ । ସାତକୋଶିଆରେ ବାଘ ବଂଶ ବିସ୍ତାର ବେଳେ ଆସିଛି ଏମିତି କିଛି ମୋଡ଼, ଯାହା ଫିଲ୍ମ କାହାଣୀଠାରୁ ବି ବଳି ଯାଇଛିପ୍ରେମରେ ମସଗୁଲ କାହ୍ନା । ପ୍ରେମ ଚାଲିଛି ସାତକୋଶିଆର ସାଥୀ ସହ । ଆଉ ସେପଟେ କାହ୍ନାର ପ୍ରେମ ବନ୍ଦୀ କରିଦେଇଛି ସୁନ୍ଦରୀକୁ । ସାତକୋଶିଆର ଜଂଗଲରେ ଚାଲିଛି ଏମିତି କିଛି ଦେବଦାସର କାହାଣୀ । ବାଘ ବଂଶ ବିସ୍ତାର ଲାଗି ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଜୁନ୍ ୨୧ରେ ଆସିଥିଲା ୩ ବର୍ଷର ବାଘ ଏମବି-୨ । ଯାହା ପରେ କାହ୍ନା ନାଁରେ ପରିଚିତ ହେଲା । କାହ୍ନା ସହ ମିଳନ ଲାଗି ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଲମ୍ବା ଯାତ୍ରା କରି ସାତକୋଶିଆର ଖୁଆଡ଼ରେ ଜୁନ୍ ୨୮ରେ ପହଞ୍ଚିଥିଲା ଅଢେଇ ବର୍ଷର ବାଘୁଣୀ ସୁନ୍ଦରୀ । ପରେ ଜୁଲାଇ ୫ରେ କାହ୍ନାକୁ ଖୁଆଡ଼ରୁ ବାହାର କରି ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା । ଅପେକ୍ଷା ଥିଲା, ଖୁବ୍ ଶୀଘ୍ର ସୁନ୍ଦରୀ ବି ବାହାରିବ ଖୁଆଡ଼ରୁ । ହେଲେ ପୂରା ମାସେ ବିତିଗଲା । ଏ ଯାଏଁ ଖୁଆଡ଼ରୁ ବାହାରିନି ସୁନ୍ଦରୀ । ସୁନ୍ଦରୀ ପୂରା ଫିଟ୍ ବି ଅଛି । ପରିବେଶ ସହ ଖାପଖୁଆଇ ବି ସାରିଛି । ହେଲେ ସୁନ୍ଦରୀରୁ ମୁକ୍ତିକୁ ଅଟକାଇ ଦେଇଛି କାହ୍ନାର ପ୍ରେମ କାହାଣୀ । ବାନ୍ଧବଗଡ଼ର ବାଘୁଣୀକୁ ଆଡ଼େଇ ଏବେ ସାତକୋଶିଆର ସାଥୀର ପ୍ରେମରେ ଉବୁଟୁବୁ କାହ୍ନା । ସାତକୋଶିଆ ଜଂଗଲରେ ପୂର୍ବରୁ ଥିଲେ ୫ ବର୍ଷ ଓ ୧୦ ବର୍ଷର ୨ ବାଘୁଣୀ । ସେଥିମଧ୍ୟରୁ ୫ ବର୍ଷୀୟ ବାଘୁଣୀ ପ୍ରେମରେ ପଡ଼ିଯାଇଛି କାହ୍ନା । ଉଭୟ ଏବେ ସାତକୋଶିଆ ଜଂଗଲରେ ଉପଭୋଗ କରୁଛନ୍ତି ନିଜର ପ୍ରେମ ଜୀବନକୁ । ଉଭୟଙ୍କର ମିଳନ ସମୟ ବି ନିକଟତର । ହେଲେ କାହ୍ନାର ଏ ପ୍ରେମ ସୁନ୍ଦରୀ ଜୀବନରେ ଲଗାଇଛି ଗ୍ରହଣ । ଜଂଗଲ ବିଭାଗକୁ ଭୟ ଘାରିଛି । ଯଦି ଖୁଆଡ଼ରୁ ସୁନ୍ଦରୀ ବାହାରେ, ତାହେଲେ କାହ୍ନା ଓ ସାତକୋଶିଆ ବାଘୁଣୀର ପ୍ରେମରେ ଲାଗିପାରେ ବ୍ରେକ୍ । ସୁନ୍ଦରୀ ସାଜିପାରେ ଲଭଷ୍ଟୋରୀର ଭିଲିଆନ୍ । ଅଧୁରା ରହିପାରେ ମିଳନ । ଉଭୟଙ୍କ ମିଳନ ନ ହେବା ଯାଏଁ ସୁନ୍ଦରୀକୁ ଜଂଗଲକୁ ନ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ଜଂଗଲ ବିଭାଗ । ଆଉ ସେପଟେ କାହ୍ନାଠାରୁ ଅଲଗା ରହି ଖୁଆଡ଼ ଭିତରେ ବିରହ ବେଦନାରେ ଛଟପଟ ହେଉଛି ସୁନ୍ଦରୀ । କାହ୍ନାର ପ୍ରେମ କାହାଣୀ ଆଗରେ ବନ୍ଧା ପଡ଼ି ଯାଇଛି ବାନ୍ଧବଗଡ଼ ବାଘୁଣୀର ମୁକ୍ତିର ବାଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.