ସୁନ୍ଦରୀ ପାଇଁ ସଙ୍କଟରେ ସରକାରଙ୍କ ସାତକୋଶିଆ ପ୍ରକଳ୍ପ
13/09/2018 at 5:47 PM

ଅନୁଗୁଳ ୧୩/୯ : ସୁନ୍ଦରୀ ପାଇଁ ସଙ୍କଟରେ ସରକାରଙ୍କ ସାତକୋଶିଆ ପ୍ରକଳ୍ପ । ସୁନ୍ଦରୀ ଯେ, କେବଳ ଅଭୟାରଣ୍ୟ ବାସିନ୍ଦାଙ୍କ ଭୟର କାରଣ ସାଜିଛି ତା ନୁହେଁ, ସରକାର ଓ ବନ ବିଭାଗର ଟେନସନ୍ ବଢ଼ାଇ ଦେଇଛି । ସାତକୋଶିଆରେ ବାଘ ଛାଡ଼ି ସରକାର ଗୋଟିଏ ଗୁଳିରେ ୩ଟି ଶିକାର କରିବାକୁ ଲକ୍ଷ୍ୟ ରଖିଥିଲେ । ବାଘ ବଂଶ ବୃଦ୍ଧି ସହ ଜଙ୍ଗଲ ସୁରକ୍ଷା ଏବଂ ମାଓବାଦୀ ଦମନ ସରକାରଙ୍କ ଭିତିରି ଉଦ୍ଦେଶ୍ୟ ଥିଲା । କିନ୍ତୁ ସୁନ୍ଦରୀ ଏମିତି କାଣ୍ଡ କରିଛି ଯେ, ବନବିଭାଗ ଏବେ ତାରି ଚିନ୍ତାରେ ଘାରି ହେଉଛି ।
ବାଘୁଣୀ ସୁନ୍ଦରୀ ପାଇଁ ଚିନ୍ତାରେ ବନ ବିଭାଗ । କେମିତି ହେବ ସୁନ୍ଦରୀର ସୁରକ୍ଷା, ସେହି ଚିନ୍ତାରେ ଘାରି ହେଉଛି ବନ ବିଭାଗ । ସୁନ୍ଦରୀ ପାଇଁ ସାତକୋଶିଆରେ ନିଆଁ ଲାଗିଥିବା ବେଳେ ସେହି ନିଆଁରେ ସରକାରଙ୍କ ବାଘ ବଂଶ ବିସ୍ତାର ସ୍ବପ୍ନ ପୋଡ଼ି ପାଉଁଶ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ମଣିଷ ମାରି ଖାଇବା ପରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଏକା ଜିଦ୍ ସୁନ୍ଦରୀକୁ ଏଠୁ ନିଅ, ନଚେତ୍ ତାକୁ ମାରିଦେବୁ ।
ମାସେ ହେଇନି ଅଭୟାରଣ୍ୟରେ ଛଡ଼ା ଯାଇଛି ସୁନ୍ଦରୀ । କାହ୍ନା ଠାରୁ ସୁନ୍ଦରୀକୁ ଅଧିକ ଦିନ ଏନକ୍ଲୋଜରରେ ରଖିଥିଲା ବନ ବିଭାଗ । ଗତମାସ ୧୭ ତାରିଖରେ ତାକୁ ଛଡ଼ା ଯାଇଛି । କିନ୍ତୁ କାହ୍ନା ଏଯାଏଁ ଟେନସନ୍ ଦେଇ ନଥିବା ବେଳେ ସୁନ୍ଦରୀ କିନ୍ତୁ ଟେନସନ୍ ଦେଇ ଚାଲିଛି । ଯାଉ ଯାଉ ଜଣେ ଫରେଷ୍ଟ ଗାର୍ଡଙ୍କୁ ଆକ୍ରମଣ କଲା । ବାଛୁରୀ ମାରି ଖାଇଲା । ପୁଣି ଏବେ ମଣିଷ ଖାଇଲା । ଯେଉଁଥି ପାଇଁ ତାତିଛନ୍ତି ଲୋକେ । ସେପଟେ ସୁନ୍ଦରୀର ସୁରକ୍ଷା ଏବଂ ସରକାରଙ୍କ ବ୍ୟାଘ୍ର ପ୍ରକଳ୍ପ ଚିନ୍ତାରେ ବନ ବିଭାଗ । ସୁନ୍ଦରୀ ଯଦି ତାର ଆଚରଣରେ ପରିବର୍ତ୍ତନ ନଆଣେ, ତେବେ କେମିତି ଅଭୟାରଣ୍ୟବାସୀଙ୍କୁ ଶାନ୍ତ କରାଇବେ ସରକାର ? ପୁଣି କଣ ହେବ ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ?
କାହିଁକି ସୁନ୍ଦରୀ ଜଙ୍ଗଲ ଭିତରକୁ ଯାଉନି ? ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲରୁ ଆଣିବା ପୂର୍ବରୁ ଓଡ଼ିଶା ବନ ବିଭାଗର ଅଧିକାର ତାର ଆଚରଣ ଅନୁଧ୍ୟାନ କରି ନଥିଲେ କି ? କାହ୍ନା ଠାରୁ ସୁନ୍ଦରୀ ବୟସରେ ବଡ଼ । କିନ୍ତୁ କାହ୍ନା ଜଙ୍ଗଲ ଭିତରେ ରହି ଶିକାର କରି ଖାଉଥିବା ବେଳେ ଗଲା ଦିନ ଠାରୁ ଜନବସତି ଆଖପାଖ ଛାଡ଼ି ଯାଉନି ସୁନ୍ଦରୀ । ଯାହାକୁ ନେଇ ପରିବେଶ ବିତ୍ ମଧ୍ୟ ଚିନ୍ତାରେ ।
ସାତକୋଶିଆରେ ସରକାରଙ୍କ ବ୍ୟାଘ୍ର ପ୍ରକଳ୍ପ । ଉଦ୍ଦେଶ୍ୟ କିନ୍ତୁ ଗୋଟେ ଗୁଳିରେ ତିନିଟି ଶିକାର । ବାଘ ବଂଶ ବଢ଼ାଇବା ସହ ଜଙ୍ଗଲ ସୁରକ୍ଷା ଏବଂ ମାଓବାଦୀଙ୍କ ମନରେ ଭୟ ସଞ୍ଚାର କରିବା । କିନ୍ତୁ ସୁନ୍ଦରୀ ଯେ, ଏସବୁକୁ ସାକାର କରିବ, ସେମିତି ଲାଗୁନି ।