ମାଆ ପୋଛିଦେଲା ଝିଅ ମଥାର ସିନ୍ଦୁର : ମଦ ନିଶାରେ ମାରପିଟ୍ କରୁଥିବା ଜ୍ୱାଇଁକୁ କରିଦେଲା ହତ୍ୟା

Published By : Prameya-News7 Bureau | January 05, 2021 IST

ଲକ୍ଷ୍ନୌ,୦୫/୦୧:  ନିଶାସକ୍ତ ଜ୍ୱାଇଁର ଯନ୍ତ୍ରଣା ଅସହ୍ୟ ହେଉଥିଲା । ସବୁଦିନ ଝଗଡା ଓ କଳହରୁ ଚିଡି ଯାଇଥିଲେ ଶାଶୂ । ଶେଷରେ ରାଗିଯାଇ ଜ୍ୱାଇଁକୁ ହତ୍ୟା କରିଦେଲେ । ନିଜ ଝିଅ ମଥାରୁ ସିନ୍ଦୁର ପୋଛିଦେଲେ । ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାର ପାସିଟୁସି ଗ୍ରାମରେ ଏପରି ଏକ ହତ୍ୟାକାଣ୍ଡ ଆଲୋଡନ ସୃଷ୍ଟି କରିଛି ।

ସୂଚନାନୁସାରେ, ପାସିଟୁସି ଗ୍ରାମରେ ରୁହନ୍ତି ଚନ୍ଦୁ ଓ ତାଙ୍କ ପତ୍ନୀ ଧନ୍ନୋ । ତାଙ୍କ ଘରେ ଜ୍ୱାଇଁ ଅଜୟ ମଧ୍ୟ ରୁହନ୍ତି । କିନ୍ତୁ ଅଜୟ ଅଧିକାଂଶ ସମୟରେ ମଦ୍ୟପାନ କରି ଘରକୁ ଆସନ୍ତି । ଝଗଡା ମଧ୍ୟ କରନ୍ତି । ସୋମବାର ରାତିରେ ଶାଶୂ ଓ ଜ୍ୱାଇଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଲାଗିଥିଲା । ଏପରିକି ଉଭୟ ହାତାହାତି ହୋଇଥିଲେ । କଥା ଏତେବାଟ ଯାଏଁ ଯାଇଥିଲା ଯେ, ଜ୍ୱାଇଁ ଶାଶୂକୁ ମାଡମାରିବା ପାଇଁ ହାତ ଉଠାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଧନ୍ନୋ ଅଜୟଙ୍କୁ ଜୋରରେ ଧକ୍କା ଦେଇଥିଲେ । ଏଥିରେ ଅଜୟଙ୍କ ମୁଣ୍ଡ କବାଟରେ ମାଡ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ପାଟିତୁଣ୍ଡ ପଡୋଶୀମାନେ ମଧ୍ୟ ଶୁଣିଥିଲେ । ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ପହଁଚିବା ପୂର୍ବରୁ ଅଜୟଙ୍କ ମୃତ୍ୟୁ ହୋଇ ସାରିଥିଲା । ତେବେ ପୋଲିସ ଅଜୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଅଭିଯୁକ୍ତ ଶାଶୂକୁ ଗିରଫ ମଧ୍ୟ କରାଯାଇଛି ।

ଅଜୟଙ୍କ ପତ୍ନୀ କହିଛନ୍ତି ଯେ, ସେ ସର୍ବଦା ମଦ୍ୟପାନ କରିବା ସହ ଜୁଆ ଖେଳନ୍ତି । ଆହୁରି ମଧ୍ୟ ମଦନିଶାରେ ସନ୍ତାନଙ୍କୁ ମଧ୍ୟ ମାରପିଟ୍ କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.