ମହିଳାଙ୍କ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି କରାନଯାଉ : ବିଜେଡି

Published By : Prameya-News7 Bureau | October 19, 2019 IST

ଭୁବନେଶ୍ବର ୧୯|୧୦: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଭିଏଲ୍‍ଡବ୍ଲ୍ୟୁ ମୃତ୍ୟୁ ଘଟଣାର ପୋଲିସ ତଦନ୍ତ ଜୋରଦାର ଭାବେ ଚାଲିଥିବାବେଳେ ବିରୋଧିଦଳ ଗୁଡିକ ଏହାକୁ ରାଜନୈତିକ ରଙ୍ଗ ଦେଇ ତଦନ୍ତକୁ ବାଟବଣା ନକରିବାକୁ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ।

ସସ୍ମିତ ପାତ୍ର କହିଛନ୍ତି ଯେ, ଏହି ହତ୍ୟା ଘଟଣା ଉପରୁ ପରଦା ଉଠାଇବା ପାଇଁ ପୋଲିସ ଆପ୍ରାଣ ଉଦ୍ୟମ କରୁଥିବାବେଳେ ଏହା ଉପରେ ଆମେ ସମସ୍ତେ ଭରସା ରଖିବା ଉଚିତ୍‍ । ହେଲେ କିଛି ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ ନିଜ ନିଜର ଫାଇଦା ପାଇଁ ଏହାର ରାଜନୀତିକରଣ ଦେବାରେ ଲାଗିଛନ୍ତି । ଏହାଦ୍ବାରା ତଦନ୍ତ ବାଟବଣା ହେବାର ଢେର ସମ୍ଭାବନା ରହିଛି । ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଏବେ କିଛି ନେତା ଦଳ ବଳ ସହ ସମ୍ପୃକ୍ତ ଅଞ୍ଚଳକୁ ଯିବା ସହିତ ଗଣମାଧ୍ୟମକୁ ବିବୃତ୍ତିମାନ ଦେବାରେ ଲାଗିଛନ୍ତି ।

ଏପରିକି ଏହି ଘଟଣାରେ ଅନ୍ୟମାନଙ୍କ ନାମକୁ ଯୋଡି ସାଧାରଣରେ ଭ୍ରମ ସୃଷ୍ଟି କରାଯାଉଛି । ଜଣେ ମହିଳା ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ପୋଲିସ ମଧ୍ୟ ଠିକଣା ଭାବେ ତଦନ୍ତକୁ ଆଗକୁ ନେଉଛି । ମାମଲା ଉପରୁ ପରଦା ହଟାଇବା ସହିତ ଏଥିରେ କୌଣସି ବ୍ୟକ୍ତି ସମ୍ପୃକ୍ତ ବୋଲି ଜଣାପଡିଲେ ସେମାନଙ୍କ ବିରୋଧରେ ଆଇନ୍‍ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ହୋଇଥିବାବେଳେ ତଦନ୍ତରେ ପୋଲିସକୁ ସହଯୋଗ କରିବା ବଦଳରେ କିଛି ରାଜନୈତିକ ଦଳ ଓ ବ୍ୟକ୍ତି ଆଗୁଆ ଯେଭଳି ମାମଲା ସହିତ ଅନ୍ୟମାନଙ୍କୁ ଯୋଡୁଛନ୍ତି ତାହାଦ୍ବାରା କେବଳ ତଦନ୍ତ ବାଟବଣା ହେବନାହିଁ, ମୃତକଙ୍କ ପରିବାର ମଧ୍ୟ ନ୍ୟାୟ ପାଇବାରେ ବିଳମ୍ବ ହେବାର ଆଶଙ୍କା ଉପୁଜିଲାଣି ।

ଇତି ମଧ୍ୟରେ ଏହି ଘଟଣାର ତଦନ୍ତ ସିବିଆଇ ଦ୍ବାରା କରିବାକୁ ଯେଉଁ ଦାବି ହୋଇଛି ସମ୍ବିତ ପାତ୍ର ତାହାକୁ ଅଗ୍ରାହ୍ୟ କରିବା ସହିତ ମାମଲାର ତଦନ୍ତ କ୍ଷେତ୍ରରେ ଓଡିଶା ପୋଲିସ ସିବିଆଇଠାରୁ କୌଣସି ଗୁଣରେ କମ୍‍ ନୁହେଁ । ତେଣୁ ପୋଲିସ ଉପରେ ଭରସା ରଖିବା ସହିତ ସମ୍ପୃକ୍ତ ପରିବାର କିଭଳି ନ୍ୟାୟ ପାଇବେ ସେଥିପାଇଁ ସମସ୍ତେ ସହଯୋଗ କରିବା ଏବଂ ମହିଳାଙ୍କ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ସସ୍ମିତ ପାତ୍ର ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.