ଜାନୁଆରୀ ୨୭, ସକାଳେ ଜେଲ୍ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
19/01/2021 at 9:17 PM

ବେଙ୍ଗାଲୁରୁ ୧୯/୦୧: ଜେଲ୍ରୁ ମୁକୁଳିପାରନ୍ତି ପୂର୍ବତନ ଏଆଇଏଡିଏମକେ ନେତ୍ରୀ ଭି.କେ. ଶଶିକଳା। ଜାନୁଆରୀ ୨୭ ସକାଳେ ସେ ବେଙ୍ଗାଲୁରୁ ସ୍ଥିତ ପାରାପନ୍ନା ଆଗ୍ରାହରା ଜେଲ୍ରୁ ମୁକୁଳିପାରନ୍ତି ବୋଲି ଜଣାପଡ଼ିଛି। ଆୟବହିର୍ଭୁତ ସମ୍ପତି ଅଭିଯୋଗରେ ଶଶିକଳା ୪ ବର୍ଷ ହେଲା ଜେଲ୍ରେ ଅଛନ୍ତି।
ଏନେଇ ପାରାପନ୍ନା ଆଗ୍ରାହରା ଜେଲ୍ର ମୁଖ୍ୟ ସୁପରିଟେଣ୍ଡେଣ୍ଟ ଇମେଲ୍ ମାଧ୍ୟମରେ ସୂଚନା ଦେଇଛନ୍ତି ବୋଲି ଶଶିକଳାଙ୍କ କାଉନସେଲ୍ ଏନ ରାଜା ପାଣ୍ଡିଆନ୍ କହିଛନ୍ତି। ଜେଲ୍ରୁ ମୁକ୍ତ ହେବା ପାଇଁ ଶଶିକଳା ଯୋଗ୍ୟ ହୋଇଥିବା ବେଳେ ୨୭ ଜାନୁଆରୀ ୨୦୨୧ ସକାଳ ସମୟରେ ସେ ଜେଲରୁ ବାହାରି ପାରିବେ ବୋଲି ଇମେଲ୍ ପାଇଛନ୍ତି ପାଣ୍ଡିଆନ୍। ତେଣୁ ଶଶିକଳା ସେହି ସମୟରେ ଜେଲ୍ରୁ ବାହାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
୬୪ କୋଟି ଟଙ୍କାର ଆୟବହିର୍ଭୁତ ମାମଲାରେ ୨୦୧୭ ଫେବୃଆରୀରେ ଶଶିକଳା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ସେହି ଦିନ ସଜା ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ଶଶିକଳା ଏବଂ ତାଙ୍କର ଦୁଇ ଜଣ ସଂପର୍କୀୟଙ୍କ ବିରୋଧରେ ନିମ୍ନ ଅଦାଲତ ଦେଇଥିବା ସଜାକୁ କାଏମ ରଖିଥିଲେ। ଏହା ପରେ ୨୦୧୭ ଫେବୃଆରୀ ୧୫ରେ ସେ ଅଦାଲତରେ ଆତ୍ମ ସମର୍ପଣ କରିଥିଲେ। ଅଦାଲତ ତାଙ୍କୁ ଜେଲ୍ ଦଣ୍ଡ ସହିତ ୧୦ କୋଟି ଟଙ୍କା ବ୍ୟତୀତ ୧୦ ହଜାର ଟଙ୍କାର ଜୋରିମାନା ଲଗାଇଥିଲେ।
ତେବେ ତାମିଲନାଡୁର ଦିବଗନ୍ତ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ପୂର୍ବତନ ସହଯୋଗୀ ତଥା ଆୟବର୍ହିଭୂତ ସଂପତ୍ତି ମାମଲାରେ ସଜା କାଟୁଥିବା ଭିକେ ଶଶିକଳା ୧୮ ନଭେମ୍ବର ୨୦୨୦ରେ ବେଙ୍ଗାଲୁରୁ ଅଦାଲତରେ ୧୦ କୋଟି ଟଙ୍କାର ଜୋରିମାନା ଭରିଥିଲେ । ପରେ ତାଙ୍କ ଓକିଲ ଏହି ବିଷୟରେ ସୂଚନା ଦେଇ କହିଥିଲେ ଯେ, ଏବେ ଶଶିକଳା ଶୀଘ୍ର ଜେଲ୍ରୁ ମୁକୁଳିବାର ଆଶା ରହିଛି।