ଶଶିକଳାଙ୍କ ଜେଲ୍‌ ଦଣ୍ଡ ୨୬’ରେ ସରିବ, ଦାଖଲ କରିଛନ୍ତି ୧୦ କୋଟି ଟଙ୍କା ଜରିମାନା, ମୁକୁଳିବାର ୫ ଦିନ ପୂର୍ବରୁ ଅସୁସ୍ଥ

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧/୦୧: ଜେଲ୍‌ରୁ ମୁକୁଳିବା ପୂର୍ବରୁ ଭିକେ ଶଶିକଳା ଅସୁସ୍ଥ। ଜାନୁଆରୀ ୨୭, ସକାରେ ଶିଶିକଳା ବେଙ୍ଗାଲୁରୁ ଜେଲ୍‌ରୁ ମୁକୁଳିବେ। କିନ୍ତୁ ଏହା ପୂର୍ବରୁ ତାଙ୍କୁ ଜ୍ବର ଓ ଶ୍ବାସକ୍ରିୟା ଜନିତ କଷ୍ଟ ଅନୁଭବ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ଶଶିକଳାଙ୍କୁ ବେଙ୍ଗାଲୁରୁର ବାଉରିଙ୍ଗ ଏବଂ ଲେଡି କର୍ଜନ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଏଏନଆଇ ସୂତ୍ରରୁ ସୂଚନା ମିଳିଛି।

ଗତ ସପ୍ତାହରୁ ଶଶିକଳା ଜ୍ବରରେ ପୀଡ଼ିତ ଅଛନ୍ତି। ଜେଲ୍‌ରେ ଡାକ୍ତ ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ଧ୍ୟାନ ରଖିଛନ୍ତି। କିନ୍ତୁ ଗୁରୁବାର ସକାଳ ଯାଏଁ ତାଙ୍କ ଶରୀରରେ ଅମ୍ଳଯାନ ସ୍ତର କମ ରହିଥିଲା। ତେଣୁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ସେଠାରୁ ଶଶିକଳାଙ୍କୁ ପୁଣି ଜେଲ୍‌ ନିଆଯିବ ବୋଲି ତାଙ୍କ ଓକିଲ କହିଛନ୍ତି।

ତେବେ ଜାନୁଆରୀ ୨୭ ସକାଳେ ଏଆଇଡିଏମକେର ପୂର୍ବତନ ନେତ୍ରୀ ଭିକେ ଶଶିକଳା ବେଙ୍ଗାଲୁରୁ ସ୍ଥିତ ପାରାପନ୍ନା ଆଗ୍ରାହରା ଜେଲ୍‌ରୁ ମୁକୁଳିପାରନ୍ତି ବୋଲି ଜଣାପଡ଼ିଛି । ଆୟବହିର୍ଭୁତ ସମ୍ପତି ଅଭିଯୋଗରେ ଶଶିକଳା ୪ ବର୍ଷ ହେଲା ଜେଲ୍‌ରେ ଅଛନ୍ତି। ଏନେଇ ପାରାପନ୍ନା ଆଗ୍ରାହରା ଜେଲ୍‌ର ମୁଖ୍ୟ ସୁପରିଟେଣ୍ଡେଣ୍ଟ ଇମେଲ୍ ମାଧ୍ୟମରେ  ସୂଚନା ଦେଇଛନ୍ତି ବୋଲି ଶଶିକଳାଙ୍କ କାଉନସେଲ୍ ଏନ ରାଜା ପାଣ୍ଡିଆନ୍ ମଙ୍ଗଳବାର କହିଥିଲେ ।  ଜେଲ୍‌ରୁ ମୁକ୍ତ ହେବା ପାଇଁ ଶଶିକଳା ଯୋଗ୍ୟ ହୋଇଥିବା ବେଳେ ୨୭ ଜାନୁଆରୀ ୨୦୨୧ ସକାଳ ସମୟରେ ସେ ଜେଲରୁ ବାହାରି ପାରିବେ ବୋଲି ଇମେଲ୍ ପାଇଛନ୍ତି ପାଣ୍ଡିଆନ୍‌।

୬୪ କୋଟି ଟଙ୍କାର ଆୟବର୍ହିଭୂତ ମାମଲାରେ ୨୦୧୭ ଫେବୃଆରୀରେ ଶଶିକଳା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ସେହି ଦିନ ସଜା ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ଶଶିକଳା ଏବଂ ତାଙ୍କର ଦୁଇ ଜଣ ସଂପର୍କୀୟଙ୍କ ବିରୋଧରେ ନିମ୍ନ ଅଦାଲତ ଦେଇଥିବା ସଜାକୁ କାଏମ ରଖିଥିଲେ। ଏହା ପରେ ୨୦୧୭ ଫେବୃଆରୀ ୧୫ରେ ସେ ଅଦାଲତରେ ଆତ୍ମ ସମର୍ପଣ କରିଥିଲେ। ଅଦାଲତ ତାଙ୍କୁ ଜେଲ୍ ଦଣ୍ଡ ସହିତ ୧୦ କୋଟି ଟଙ୍କା ବ୍ୟତୀତ ୧୦  ହଜାର ଟଙ୍କାର ଜରିମାନା ଲଗାଇଥିଲେ।

ତେବେ ତାମିଲନାଡୁର ଦିବଗନ୍ତ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ପୂର୍ବତନ ସହଯୋଗୀ ତଥା ଆୟବର୍ହିଭୂତ ସଂପତ୍ତି ମାମଲାରେ ସଜା କାଟୁଥିବା ଭିକେ ଶଶିକଳା ୧୮ ନଭେମ୍ବର ୨୦୨୦ରେ ବେଙ୍ଗାଲୁରୁ ଅଦାଲତରେ ୧୦ କୋଟି ଟଙ୍କାର ଜରିମାନା ଭରିଥିଲେ । ପରେ  ତାଙ୍କ ଓକିଲ ଏହି  ବିଷୟରେ ସୂଚନା ଦେଇ କହିଥିଲେ ଯେ, ଏବେ ଶଶିକଳା ଶୀଘ୍ର ଜେଲ୍‌ରୁ ମୁକୁଳିବାର ଆଶା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.