ତାମିଲନାଡୁରେ ବଡ ରାଜନୈତିକ ଓଲଟ ପାଲଟ, ନିର୍ବାଚନ ପୂର୍ବରୁ ରାଜନୀତିରୁ ଶଶିକଳାଙ୍କ ସନ୍ନ୍ୟାସ ଘୋଷଣା

Published By : Prameya-News7 Bureau | March 03, 2021 IST

ଚେନ୍ନାଇ ୦୩।୦୩: ତାମିଲନାଡୁ ରାଜନୀତିରେ ବଡ ଧରଣର ଓଲଟା ପାଲଟ। ତାମିଲନାଡୁ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ରହିଥିବା ତଥା ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଜେଲ ଦଣ୍ଡ ଭୋଗି ନିକଟରେ ମୁକୁଳିଥିବା ଶଶିକଳା  ବୁଧବାର ଅପ୍ରତ୍ୟାଶିତ ଭାବେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଶଶିକଳା କହିଛନ୍ତି ସେ କେବେ ବି କ୍ଷମତା କି ପଦ ଚାହିଁ ନାହାନ୍ତି। ସେ ସର୍ବଦା ଲୋକଙ୍କ ଉନ୍ନତି ଏବଂ ଆମ୍ମା(ଜୟଲଳିତା)ଙ୍କ ଦ୍ଵାରା ପ୍ରଦର୍ଶିତ ମାର୍ଗରେ ଚାଲିବେ।

wp:html /wp:html

ଶଶିକଳା ଆଗାମୀ ବିଧାନସଭା ନିର୍ବାଚନରେ ଡିଏମକେକୁ ହରାଇବା ପାଇଁ ଏଆଇଏଡିଏମକେର କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ୍ ହେବାକୁ କହିଛନ୍ତି। ଏଥି ସହ ଆମ ସମସ୍ତଙ୍କୁ ଏହା ସୁନିଶ୍ଚିତ କରିବା ଉଚିତ୍ ଯେ, ତାମିଲନାଡୁ ରାଜ୍ୟରେ ଏମଜିଆରଙ୍କ ଶାସନ ଯେମିତି ଜାରି ରହୁ। ମୁଁ ସବୁ ଦିନ ପାଇଁ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଛି , ମାତ୍ର ଆମ୍ମାଙ୍କ ପାଇଁ ସର୍ବଦା ପ୍ରାର୍ଥନା କରିବି ଯାହାକୁ ମୁଁ ଦେବୀ ପରି ମାନୁଥିଲି ବୋଲି ଶଶିକଳା କହିଛନ୍ତି।

ଶଶିକଳା ଏହା ମଧ୍ୟ କହିଛନ୍ତି, ଆମ୍ମା କହିଥିଲେ ଡିଏମକେ ଦଖ ଏକ ଦୁଷ୍ଟ ଶକ୍ତି। ଆମ୍ମା କ୍ୟାଡରଙ୍କୁ ଡିଏମକେକୁ ହରାଇବା ପାଇଁ କାମ କରିବା ଉଚିତ୍ ଏବଂ ଏହା ସୁନିଶ୍ଚିତ କରାଯାଉ ଯେ ରାଜ୍ୟରେ ଆମ୍ମାଙ୍କ ସ୍ଵର୍ଣ୍ଣିମ ଶାସନ ଆସୁ। ସେ କହିଛନ୍ତି ମୁଁ ତାମିଲନାଡୁ ଜନତାଙ୍କ ସର୍ବଦା କୃତଜ୍ଞ ରହିବି। ମୁଁ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଛି, ମାତ୍ର ପ୍ରାର୍ଥନା କରୁଛି ଯେ ଆମ୍ମାଙ୍କ ପରି ସ୍ଵର୍ଣ୍ଣିମ ଶାସନ ରହୁ।

ତାମିଲନାଡୁରେ ଶଶିକଳାଙ୍କ ପ୍ରତ୍ୟାବର୍ତ୍ତନ ପରଠୁ ଏଆଇଏଡିଏମକେ ଚଳଚଞ୍ଚଳ ହୋଇ ଉଠିଥିଲା। ୨୦୨୧ ଜାନୁଆରୀ ୨୭ରେ ଶଶିକଳାଙ୍କୁ ଜେଲ୍‌ରୁ ମୁକ୍ତି ମିଳିଥିଲେ। ସେ ଆୟବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଜେଲ୍‌ରେ ସଜା କାଟୁଥିଲେ। କୁହାଯାଉଥିଲା ସେ ବିଧାନସଭା ନିର୍ବାଚନ ଲଢିବେ। ହେଲେ ଆଜି ସେ ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ଅଲବିଦା କହିଛନ୍ତି।

୬୪ କୋଟି ଟଙ୍କାର ଆୟବର୍ହିଭୂତ ମାମଲାରେ ୨୦୧୭ ଫେବୃଆରୀରେ ଶଶିକଳା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ସେହି ଦିନ କୋର୍ଟ ଦଣ୍ଡାଦେଶ ଶୁଣାଇଥିଲେ। ସୁପ୍ରିମକୋର୍ଟ ଶଶିକଳା ଏବଂ ତାଙ୍କର ଦୁଇ ଜଣ ସଂପର୍କୀୟଙ୍କ ବିରୋଧରେ ନିମ୍ନ ଅଦାଲତ ଦେଇଥିବା ଜେଲ୍ ଦଣ୍ଡାଦେଶକୁ କାଏମ ରଖିଥିଲେ। ଏହା ପରେ ୨୦୧୭ ଫେବୃଆରୀ ୧୫ରେ ଶଶିକଳା ଅଦାଲତରେ ଆତ୍ମ ସମର୍ପଣ କରିଥିଲେ। ଅଦାଲତ ତାଙ୍କୁ ଜେଲ୍ ଦଣ୍ଡ ସହିତ ୧୦ କୋଟି ଟଙ୍କା ବ୍ୟତୀତ ୧୦  ହଜାର ଟଙ୍କା ଜରିମାନା ଲଗାଇଥିଲେ।

ଉଲ୍ଲେଖଯୋଗ୍ୟ, ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଆୟୋଗ ତାରିଖ ମଧ୍ୟ ଘୋଷଣା କରି ସାରିଛନ୍ତି। ରାଜ୍ୟରେ ସମସ୍ତ ୨୩୪ ଆସନରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୬ରେ ମତଦାନ ହେବ। ମେ ୨ରେ ଫଳାଫଳ ଘୋଷଣା ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.