ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ହେବେ ବିଜେଡିର କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ !

Published By : Prameya-News7 Bureau | April 07, 2019 IST

ଭୁବନେଶ୍ବର ୭|୪ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ୯ତାରିଖ ହୋଇଥିବାବେଳେ ଏପର୍ଯ୍ୟନ୍ତ ବିଜେଡି କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । କେନ୍ଦ୍ରାପଡାରୁ ପ୍ରାର୍ଥୀ ହେବା ପାଇଁ ବିଧାୟକ କିଶୋର ତରେଇଙ୍କ ସମେତ ୧୦ଜଣରୁ ଅଧିକ ଆଶାୟୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଯାହାକୁ ମଧ୍ୟ ପ୍ରାର୍ଥୀ କଲେ ଅନ୍ୟମାନେ ଅସନ୍ତୁଷ୍ଟ ଓ ବିଦ୍ରୋହୀ ହେବା ସହ ବିରୋଧୀ ବିଜେପି ଶିବିରରେ ଯୋଗଦେଇପାରନ୍ତି ବୋଲି ବିଜେଡି ଆଶଙ୍କା କରି ପ୍ରାର୍ଥୀ ଘୋଷଣା ବିଳମ୍ବ କରୁଥିବା ଆଲୋଚନା ହେଉଛି । ବିଧାୟକ କିଶୋର ତରେଇଙ୍କୁ ପ୍ରାର୍ଥୀ ନକରିବା ପାଇଁ ବିଜେଡି ଏକପ୍ରକାର ନିଷ୍ପତ୍ତି ନେଇସାରିଥିବାରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ପ୍ରତ୍ୟେକ ଦିନ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି । ଗତକାଲି ବିଜେପି ସୁନାକର ବେହେରାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ ଘୋଷଣା କରିଛି । ତେଣୁ ଏବେ କେନ୍ଦ୍ରାପଡା ପାଇଁ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଲାଗି କୌଣସି ସମସ୍ୟା ଯଦିଓ ନାହିଁ କିନ୍ତୁ ଉପଯୁକ୍ତ ପ୍ରାର୍ଥୀ ଲାଗି ନବୀନ ନିବାସରେ ତୁହାକୁ ତୁହା ବୈଠକ ବସୁଥିବା ଜଣାପଡିଛି ।

ଅର୍ଥମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶୀଭୂଷଣ ବେହେରାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରିବା ଲାଗି ବିଜେଡିର ଗୋଟିଏ ଗୋଷ୍ଠୀ ମତ ପ୍ରକାଶ କରୁଥିବାବେଳେ ଏହାକୁ ନେଇ ହିସାବ ନିକାସ କରାଯାଉଛି । କେନ୍ଦ୍ରାପଡା ଲୋକସଭା ଆସନ ସମେତ କେନ୍ଦ୍ରାପଡା ବିଧାନସଭା ଆସନକୁ ଦଳ ମର୍ଯ୍ୟଦାଜନକ ଆସନ ଭାବେ ବିବେଚନା କରୁଛି । ତେଣୁ ବିଜୟର ନିର୍ଭର ସମ୍ଭାବନା ଥିବା ପ୍ରାର୍ଥୀଙ୍କ କଥା ହିଁ ବିଜେଡି ଚିନ୍ତା କରୁଛି । ଅପରପକ୍ଷରେ ଜୟଦେବ ଆସନରୁ ଟିକେଟ୍ ନପାଇ ଘୋର ଅସନ୍ତୁଷ୍ଟ ହୋଇପଡିଥିବା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କିନ୍ତୁ କେନ୍ଦ୍ରାପଡା ଆସନରୁ ଲଢିବା ପାଇଁ ଅମଙ୍ଗ ଥିବା କୁହାଯାଉଛି । ତଥାପି ଦଳ ଯଦି ନିର୍ଦ୍ଦେଶ ଦିଏ ତାହାଲେ ସେ କେନ୍ଦ୍ରାପଡାରୁ ଲଢିବା ପାଇଁ ବାଧ୍ୟ ହେବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡିଛି ।

ଗତକାଲି କେନ୍ଦ୍ରାପଡାର ଡେରାବିଶିରେ ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ରଙ୍କ ବିଶାଳ ସମାବେଶ ବିଜେଡିକୁ ଅଧିକ ଚିନ୍ତିତ କରିଛି । ଏହି ସମାବେଶରେ ବୈଜୟନ୍ତ ଓ ବିଜୟଙ୍କୁ ଅତୀତରେ ବିରୋଧ କରୁଥିବା ସ୍ଥାନୀୟ ବିଜେପି ନେତା ଓ କର୍ମୀ ମଧ୍ୟ ଯୋଗଦେବା ନିଶ୍ଚୟ ସେଠାରେ ବିଜେପିକୁ ଶକ୍ତିଶାଳୀ କରିବ । ଫଳରେ କେନ୍ଦ୍ରାପଡାରେ କିଭଳି ବିଜେପିକୁ ଚେକ୍ ଦେଇହେବ ସେ ଚିନ୍ତା ମଧ୍ୟ ଏବେ ବିଜେଡିକୁ ଘାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.