ଆୟକର ପୋର୍ଟାଲ ନେଇ ସରକାରଙ୍କ ଉପରେ ବର୍ଷିଲେ ଶଶି ଥରୁର, କହିଲେ ୪ ହଜାର ୨୦୦ କୋଟି ଖର୍ଚ୍ଚ ପରେ ବି ‘ଅବ୍ୟବସ୍ଥା’

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ ୬।୭: ସରକାରଙ୍କ ଆୟକର ପୋର୍ଟାଲକୁ ଅବ୍ୟବସ୍ଥା ଉଦ୍ରେକକାରୀ ବୋଲି ବରିଷ୍ଠ କଂଗ୍ରେସ ସାଂସଦ ଶଶିଥରୁର ମଙ୍ଗଳବାର କହିଛନ୍ତି। ପୋର୍ଟାଲକୁ ଉପଯୋଗକାରୀଙ୍କ ଲାଗି ଅଧିକ ଅନୁକୂଳ, ଆଧୁନିକ ଓ ସହଜ କରିବା ଲାଗି ସରକାର ୪ହଜାର ୨୦୦ କୋଟି ଟଙ୍କା ବ୍ୟୟ କରିଥିବା କହୁଛନ୍ତି। ଏହା ସତ୍ତ୍ୱେ ଏହା ଏବେ ଅବ୍ୟବସ୍ଥାର କାରଣ ପାଲଟିବାକୁ ଯାଉଥିବା ସେ ସତର୍କ କରିଛନ୍ତି।

ଆୟକର ବିଭାଗଙ୍କ ପୋର୍ଟଲ ଠିକଠାକ୍‌ କାମ କରୁଥିଲା ତେବେ ଏହାକୁ ନୂଆ କରିବାର କଣ ଆବଶ୍ୟକତା ଥିଲା ବୋଲି ଥରୁର ପ୍ରଶ୍ନ କରିଛନ୍ତି।  ଅଖିଳ ଭାରତୀୟ ପ୍ରଫେସନାଲ କଂଗ୍ରେସର ଚାର୍ଟାଡ ଆକାଉଣ୍ଟାଣ୍ଟମାନେ ପୋର୍ଟାଲରେ ହେଉଥିବା ଅସୁବିଧା ନେଇ ତାଙ୍କୁ ସୂଚିତ କରିଥିବା ଥରୁର କହିଛନ୍ତି। ଆୟକର ପୋର୍ଟାଲରେ କରାଯାଇଥିବା ପରିବର୍ତ୍ତନ କାରଣରୁ ଅନେକ ସମସ୍ୟା ଉପୁଜିଛି। ଏପରିକି ଲଗ୍-ଇନ୍‌ କରିବାରେ ବି ସମସ୍ୟା ଉପୁଜୁଥିବାର ସେମାନେ ଅଭିଯୋଗ କରୁଛନ୍ତି।

{"id":476636,"width":839,"height":503,"sizeSlug":"large","linkDestination":"none"}

ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନୂଆ ପୋର୍ଟାଲର ସବୁ ଫିଚରରେ କେଉଁଠି ନା କେଉଁଠି ତ୍ରୁଟି ରହୁଛି। ଏଣୁ ଆଇଟିଆର ଦାଖଲରେ ବାଧା ସୃଷ୍ଟି ହେଉଥିବା ଥରୁର କହିଛନ୍ତି। ବୈଦେଶିକ ପ୍ରାପ୍ତି ସମ୍ପର୍କିତ ୧୫ ସିଏ, ୧୫ ସିବି ପୁରଣ ଓ ଆବେଦନ ଲାଗି ତଥ୍ୟ ପ୍ରସ୍ତୁତିରେ ବାଧା ଦେଖା ଯାଉଛି। ତେବେ ସରକାର ଜୁନମାସରେ ଆୟକର ପୋର୍ଟାଲ ପରିବର୍ତ୍ତନ ଲାଗି ଅଚାନକ କଣ ପାଇଁ ନିଷ୍ପତ୍ତି ନେଲେ ତାହା ମଧ୍ୟ ବୁଝା ପଡୁନଥିବା ଥରୁର କହିଛନ୍ତି।

ଯଦି ଗତ ଆର୍ଥିକ ବର୍ଷର ଶେଷ ଅଥବା ନୂଆ ଆର୍ଥିକ ବର୍ଷର ଆରମ୍ଭ କାଳରେ ସରକାର ପରିବର୍ତ୍ତନ କାର୍ଯ୍ୟକାରୀ କରିଥାନ୍ତେ ତେବେ ଆୟକର ରିଫଣ୍ଡ ଲାଗି ହକଦାର କରଦାତାଙ୍କୁ କଠିଣ ସମୟରେ ସହାୟତା କରିପାରିଥାନ୍ତା। ଯଦି ପୁରୁଣା ପୋର୍ଟାଲ ବର୍ଷବର୍ଷରୁ ସୁଗମ ସେବା ଯୋଗାଇ ପାରୁଥିଲା ଏଥିରେ ନୂଆ ପୋର୍ଟାଲର କଣ ଆବଶ୍ୟକତା ଥିଲା ବୋଲି ଥରୁର ପ୍ରଶ୍ନ ଉଠାଇଛନ୍ତି। ଯଦି ସରକାର ପୋର୍ଟାଲରେ ପରିବର୍ତ୍ତନ କଲେ ତେବେ ଏହାକୁ ଲୋକଙ୍କୁ ଉପଯୋଗ କରିବାକୁ ଦେବା ପୂର୍ବରୁ ପରୀକ୍ଷାମୂଳକ ସଞ୍ଚାଳନ କରିବାର ଥିଲାକି ନାହିଁ ବୋଲି ମଧ୍ୟ  ପଚାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.