ପୂର୍ବ ଶତ୍ରୁତାରୁ ସରପଞ୍ଚଙ୍କୁ କଟୁରୀରେ ହାଣି ହତ୍ୟା, ଅଭିଯୁକ୍ତ ପଡୋଶୀ ଫେରାର

Published By : Prameya-News7 Bureau | May 17, 2020 IST

ନୟାଗଡ ୧୭।୫: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କୁ ଗାଁ ଦାଣ୍ଡରେ ନିର୍ମମ ହତ୍ୟା । ସରପଞ୍ଚଙ୍କୁ କଟୁରୀରେ ହାଣି ପଡୋଶୀ ହତ୍ୟା କରିଛନ୍ତି । ମୃତକ ହେଲେ ସୁଶାନ୍ତ ବେହେରା । ଶନିବାର  ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଢୋଲମରା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । 

ଗାଁର କୁଳମଣି ସ୍ବାଇଁ ଭୁବନେଶ୍ବରରେ କାମ କରୁଥିବା ବେଳେ  ନନ୍ଦିନୀ ନାମକ ଜଣେ ବିବାହିତା ମହିଳାଙ୍କୁ ନେଇ ଆସିଥିଲେ । ଉଭୟ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା । ଗତ ଦୁଇମାସ ତଳେ କୁଳମଣି ନନ୍ଦିନୀଙ୍କୁ ପ୍ରବଳ ମାଡ ମାରିଥିଲେ । ଘଟଣା ଥାନାକୁ ଯାଇଥିଲା ।  ଗାଁର ସରପଞ୍ଚ ଭାବେ   ସୁଶାନ୍ତ ଘଟଣାର ଆପୋଷ ସମାଧାନ କରିଥିଲେ  ।   ତେବେ ସୁଶାନ୍ତ ନନ୍ଦିନୀଙ୍କୁ ସମର୍ଥନ କରିଥିବାରୁ କୁଳମଣି ରାଗ ରଖିଥିଲା । 

ଶନିବାର ରାତି ପ୍ରାୟ ୧୦ଟା ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ କାମ ସାରି ସୁଶାନ୍ତ ଘରକୁ ଫେରୁଥିବା  ବେଳେ  ଛକି ରହିଥିବା କୁଳମଣି ସୁଶାନ୍ତଙ୍କ ଉପରେ  କଟୁରୀରେ  ଆକ୍ରମଣ କରିଥିଲା । ସୁଶାନ୍ତଙ୍କ ମୁଣ୍ଡ ପିଠିରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ନୟାଗଡ ଏସଡିପିଓ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି ।  ହତ୍ୟା କରିବା ପରେ କୁଳମଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ  ଗାଁରେ ଏବେ ପୋଲିସ ମୁତୟନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.