ଭୋଟ ପାଇ ବି ତଡ଼ା ଖାଇଲେ: ଓଡ଼ିଆ ଲେଖି ପଢି ଜାଣି ନାହାନ୍ତି ସରପଞ୍ଚ ବାବୁ, କୋର୍ଟ କହିଲେ ଚେୟାର୍‌ ଛାଡ଼

Published By : Prameya-News7 Bureau | March 05, 2021 IST

ଖଲ୍ଲିକୋଟ, ୦୫/୦୩: ଓଡ଼ିଆ ଲେଖି ପଢି ଜାଣିନଥିବା ହେତୁ ଜଣେ ସରପଞ୍ଚଙ୍କ ପଦ ଯାଇଥିବା ସୂଚନା ମିଳିଛି । ଅଗସ୍ତି ନୂଆଗାଁ ସରପଞ୍ଚଙ୍କୁ ପଦରୁ ଏଥିପାଇଁ ବହିଷ୍କାର କରାଯାଇଛି । ଛତ୍ରପୁର ସିଭିଲ ଜର୍ଜ କୋର୍ଟର ଜୁନିଅର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ ଶୁକ୍ରବାର ଏହି ରାୟ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ ୨୦୧୭ ପଞ୍ଚାୟତ ନିର୍ବାଚନରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୁଆଁ ଗାଁ ସରପଞ୍ଚ ପି.ସମାଦ୍ରୀ ବିଜୟୀ ହୋଇଥିଲେ । କିନ୍ତୁ ତାଙ୍କ ବିରୋଧରେ ନିକଟତମ ପ୍ରତିଦ୍ୱନ୍ଦୀ ଭାବେ ହାରିଥିବା ନିବାସୀ ଗୌଡ଼ ସେହି ସମୟରେ ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ସେ ଓଡ଼ିଆ ପଢି ନାହାନ୍ତି, ସେ ଦୁଇଟି ବିବାହ କରିଛନ୍ତି ଏବଂ ତାଙ୍କରି ଛଅଟି ସନ୍ତାନ ରହିଥିବା ନେଇ ଓକିଲଙ୍କ ଜରିଆରେ ପିଟିସନ ଦାଖଲ କରିଥିଲେ ।

ତେବେ ଆଜି ୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ବିଚାରପତି ସରପଞ୍ଚଙ୍କ ପଦ ରଦ୍ଦ କରିଛନ୍ତି । ପଞ୍ଚାୟତିରାଜ ଦିବସରେ ଛତ୍ରପୁର ସିଭିଲ କୋର୍ଟ ପରିସରରେ ଏହି କେସ୍‌ର ଶୁଣାଣି ହୋଇଛି । ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ହେତୁ ଅଗସ୍ତି ନୂଆଗାଁ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରାଯାଇଛି ବୋଲି ନିବାସୀଙ୍କ ଓକିଲ ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.