ବାହୁଡିବାକୁ ବିକଳ ସାରଥୀ : ସୋସିଆଲ୍ ମିଡିଆରେ ମିଛ କାହାଣୀ ଲେଖି ଏଜେଣ୍ଟ କରୁଛନ୍ତି ପ୍ରଚାର, ତାତିଲେଣି ବାରିମୂଳ ବାସିନ୍ଦା

Published By : Prameya-News7 Bureau | October 28, 2020 IST

କେନ୍ଦ୍ରାପଡ଼ା ୨୮।୧୦: ଚର୍ଚ୍ଚାରେ ପୁଣି ଥରେ ଆତ୍ମଘୋଷିତ ବାବା ସନ୍ତୋଷ କୁମାର ରାଉଳ ଓରଫ ସାରଥି । କୋର୍ଟଙ୍କ ଆଦେଶକୁ ବେଖାତିର କରିଥିବା ଅଭିଯୋଗ ଆସିଛି । ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ସନ୍ତୋଷ ରାଉଳଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ । ବାହାରେ କେଉଁଠି ସତ୍‌ସଙ୍ଗ, ଧର୍ମସଭାରେ ଯୋଗାଦେବେନି ବୋଲି ଗୋଟିଏ ଥିଲା । କିନ୍ତୁ ସନ୍ତୋଷ ରାଉଳ ସର୍ତ୍ତ ଖିଲାପ କରିଥିବା ଅଭିଯୋଗ ଆସିଛି । ଏଥର ନିଜେ ନୁହେଁ ବରଂ ସୋସିଆଲ୍‌ ମିଡିଆରେ ମିଛ କାହାଣୀ ଲେଖି ଏଜେଣ୍ଟଙ୍କୁ ପ୍ରଚାର ଦାୟିତ୍ୱ ଦିଆଯାଇଛି । ଯାହାକୁ ନେଇ ବାରିମୂଳ ବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ବେଶ୍‌ କିଛି ବର୍ଷ ଜେଲ୍‌ରେ ରହିବା ପରେ ଗତବର୍ଷ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ ଆତ୍ମଘୋଷିତ ବାବା ସନ୍ତୋଷ କୁମାର ରାଉଳ ଓରଫ ସାରଥି । ବିଭିନ୍ନ ମାମଲାରେ ଛନ୍ଦି ହୋଇପଡ଼ିଥିବା ସାରଥିଙ୍କୁ ଜାମିନ୍‌ ମିଳିଥିଲେ ବି ଏଥିଲାଗି କୋର୍ଟ କେତେକ ସର୍ତ୍ତ ରଖିଥିଲେ । ଯେଉଁଥିରୁ ଗୋଟିଏ ସର୍ତ୍ତ ଥିଲା ସେ କୌଣସି ସତ୍‌ସଙ୍ଗ, ଧର୍ମସଭାରେ ଭାଗ ନେଇପାରିବେନି । କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଆଖପାଖକୁ ଯାଇପାରିବେନି କି ନିଜ ପ୍ରଚାର ପ୍ରସାର କରାଇବେନି । ହେଲେ ଇତିମଧ୍ୟରେ ସାରଥି ସର୍ତ୍ତ ଖିଲାପ କରିଥିବା ଅଭିଯୋଗ ଉଠିଛି ।

ସାରଥି ନିଜେ ସାମ୍ନାକୁ ନଆସିଥିଲେ ମଧ୍ୟ ତାଙ୍କ ଦ୍ୱାରା ନିଯୁକ୍ତ ଏଜେଣ୍ଟମାନେ ଏବେ ତାଙ୍କର ପ୍ରଚାର ପ୍ରସାର କରାଇବାକୁ ଅନ୍‌ଲାଇନ୍‌ ଓ ସୋସିଆଲ୍‌ ମିଡିଆକୁ ମାଧ୍ୟମ କରିଥିବା ଅଭିଯୋଗ ଆସିଛି । ସୋସିଆଲ୍‌ ମିଡିଆ ଫେସ୍‌ବୁକ୍‌ରେ ସ୍ୱତନ୍ତ୍ର ପେଜ୍‍ ଖୋଲି ସାରଥିଙ୍କ ଦ୍ୱାରା ସେମାନେ କେମିତି ଉପକୃତ ହୋଇଥିଲେ ତାହର ମିଥ୍ୟା କାହାଣୀ ରଚିଛନ୍ତି ତଥାକଥିତ ଏଜେଣ୍ଟମାନେ । ଚେଷ୍ଟା କରୁଛନ୍ତି ଲୋକଙ୍କ ମଧ୍ୟରେ ପୁଣି ସାରଥିଙ୍କ ପ୍ରତି ବିଶ୍ୱାସ ଜନ୍ମାଇବାକୁ ।

ଯାହାକୁ ନେଇ କେନ୍ଦ୍ରାପଡ଼ାବାସୀ ବୁଦ୍ଧିଜୀବୀ ବିଶେଷକରି ବାରିମୂଳ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ପୁଲିସ, ପ୍ରଶାସନ ଏଥିପ୍ରତି ସଚେତନ ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଏବଂ ଏଭଳି ଉଦ୍ୟମକୁ ନ ରୋକିଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ଦିଗରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଥିବା ବାରିମୂଳ ବାସିନ୍ଦାଙ୍କ ପକ୍ଷରୁ ଯୁବନେତା ପ୍ରଶାନ୍ତ କୁମାର ସାମଲ ସୂଚନା ଦେଇ କହିଛନ୍ତି ।

ଅଭିଯୋଗ ବିବରଣୀ ମୁତାବକ, ବିଗତ କିଛି ମାସ ହେବ “ସାରଥି ପ୍ରଭୁ’ ନାମରେ ଫେସ୍‌ବୁକ୍‌ରେ ଏକ ପେଜ୍‍ ଖୋଲିଛି । ଯେଉଁଥିରେ ତଥାକଥିତ ବାବାଙ୍କର କେଇଜଣ ଏଜେଣ୍ଟ ନିଜ ଅନୁଭୂତି ବାଣ୍ଟୁଛନ୍ତି । ସାରଥିଙ୍କ ମହିମା, କରୁଣାର ମିଛ ନାଟକ ରଚି ପୁନର୍ବାର ଲୋକଙ୍କୁ ଭୂତାଇବାକୁ ଜାଲ ବିଛାଇବାର ଉଦ୍ୟମ କରୁଛନ୍ତି । ଯୋଜନା ଏମିତି ହୋଇଛି ଯାହା ପରେ ସାରଥିଙ୍କୁ ଆଗକୁ ଆସିବାକୁ ସୁଯୋଗ ସୃଷ୍ଟି କରିବ ଓ ସେ ପୁନର୍ବାର ପ୍ରବଚନ ଜରିଆରେ ଆତ୍ମପ୍ରକାଶ କରିବେ । ଯେଉଁଥିରେ ଏଜେଣ୍ଟମାନେ ଲୋକଙ୍କୁ ଆକୃଷ୍ଟ କରିବାକୁ ଯାଇ ତାଙ୍କର ବିଶ୍ୱାସ ଜିତିବାକୁ ରୀତିମତ ଲାଗିପଡ଼ିଛନ୍ତି । କଳେବଳେ କୌଶଳେ ପୁଣି ଲୋକଙ୍କ ମଧ୍ୟକୁ ଯିବା ପାଇଁ ଉଦ୍ୟମ ଆରମ୍ଭ କରୁଛନ୍ତି ।

ଯେତେବେଳେ କି ସାରଥିଙ୍କ ଲାଗି ପ୍ରବଚନ, ସତ୍‌ସଙ୍ଗ କାର୍ଯ୍ୟକ୍ରମରେ କୋର୍ଟ ଲକ୍ଷ୍ମଣରେଖା ଟାଣିଥିଲେ, ତା’ ହେଲେ ଏସବୁ କେମିତି ସମ୍ଭବ ହେଲା ବୋଲି ଏବେ ପ୍ରଶ୍ନ ଉଠିଛି । କୋର୍ଟଙ୍କ ସର୍ତ୍ତକୁ ନମାନି ପୁଣି କେମିତି ସୋସିଆଲ୍‌ ମିଡିଆକୁ ଢାଲ କରି ଛଳନା, ଭ୍ରଷ୍ଟାଚାରର ମାୟାଜାଲ ବୁଣିବାକୁ ସେ ଚେଷ୍ଟା କରୁଛନ୍ତି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ଗତବର୍ଷ ଜୁଲାଇରେ ଜାମିନ୍‌ ବଳରେ ସାରଥି ଜେଲରୁ ମୁକୁଳିବା ପରେ ଏବେ କେଉଁ ଅଜ୍ଞାତ ସ୍ଥାନରେ ରହୁଛନ୍ତି । ସେ କେଉଁଠାରେ ରହୁଛନ୍ତି ତାହା ମଧ୍ୟ ପ୍ରଶ୍ନବାଚୀ । ଅଜ୍ଞାତବାସରେ ଥିବା ସାରଥିଙ୍କ ଉପରେ କୋର୍ଟ ସର୍ତ୍ତର ଅଙ୍କୁଶ ଥିବା ବେଳେ କିପରି ସେ ଆତ୍ମପ୍ରକାଶ ଯୋଜନା କରୁଛନ୍ତି ଓ ସବୁ ଜାଣି ପୁଲିସ, ପ୍ରଶାସନ, ତଦନ୍ତକାରୀ କ୍ରାଇମବ୍ରାଞ୍ଚ, ଇଡି ଆଦି ଏଜେନସି କିପରି ଚୁପ୍‌ ବସିଛନ୍ତି ତାହାକୁ ନେଇ ବାରିମୂଳବାସୀ ପ୍ରଶ୍ନ ଉଠାଇଛନ୍ତି ।

ଉଲ୍ଲେଖନୀୟ, ୨୦୧୫ ଅଗଷ୍ଟ ୮ ତାରିଖଠାରୁ ସାରଥି ଓରଫ ସନ୍ତୋଷ ରାଉଳ ଆଶ୍ରମ ପରିସରରୁ ବିଭିନ୍ନ ମାମଲାରେ ଗିରଫ ହେବା ପରେ ତାଙ୍କର ଅଚଳାଚଳ ସମ୍ପତ୍ତି ଜବତ କରି କ୍ରାଇମ୍‌ବ୍ରାଞ୍ଚ୍‌ ଅର୍ଥନୈତିକ ଅପରାଧ ଶାଖା ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଯାଏ ତଦନ୍ତ ଚଳାଇ ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.