୨ଟି ପରିବାରରୁ ବାହାରିଲେ ୫ କୋଭିଡ୍ ପଜିଟିଭ୍, ଗାଁକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | June 15, 2021 IST

ବାଙ୍କୀ,୧୫/୦୬:  କରୋନା ମହାମାରୀର ଦ୍ୱିତୀୟ ଲହରୀ ଜାରି ରହିଛି । ଏହାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଛି ବ୍ୟାପକ ପଦକ୍ଷେପ । ସହରାଞ୍ଚଳରେ କରୋନାର ସ୍ଥିତିରେ ସୁଧାର ଆସୁଥିବା ବେଳେ ଗ୍ରାମଞ୍ଚଳରେ ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ କିଭଳି ପ୍ରତିହିତ କରାଯାଇ ପାରିବ ସେନେଇ ପ୍ରଶାସନ ସ୍ତରରୁ ଆରମ୍ଭ କରି ସରପଞ୍ଚମାନେ ଚଳାଇଛନ୍ତି ପ୍ରୟାସ  । କଣ୍ଟେନମେଣ୍ଟ ଜୋନ୍ ମଧ୍ୟ ଘୋଷଣା କରୁଛନ୍ତି ।

ସେହିପରି ବାଙ୍କୀ ବ୍ଲକ କଦଳୀବାଡି ଗ୍ରାମ ପଂଚାୟତର ୩ ନମ୍ବର ୱାର୍ଡ ପାଟଣାସାହିରେ ଦୁଇଟି ପରିବାରରୁ ୫ରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆତଙ୍କ ଖେଳିଯାଇଛି ।  ପ୍ରଶାସନର ନିର୍ଦେଶରେ ସ୍ଥାନୀୟ ସରପଞ୍ଚ ୭ ଦିନ ପାଇଁ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । କିଭଳି କଦଳୀବାଡି ପଂଚାୟତ ସହିତ ଏହି ପାଟଣା ସାହି ୩ ନମ୍ବର ୱାର୍ଡ ସମ୍ପୂର୍ଣ୍ଣ କରୋନା ମୁକ୍ତ ରହିବ ସେ ନେଇ ନିଜେ ସ୍ଥାନୀୟ ସରପଞ୍ଚ ପ୍ରକାଶ କୁମାର ବେଉରା ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ସାଥିରେ ଧରି ବୁଲୁଛନ୍ତି ।

ପ୍ରତିଟି ଘର ଆଉ ଲୋକଙ୍କ  ସ୍ବାସ୍ଥ୍ୟ ଯାଞ୍ଚ କରିବା ସହିତ କରୋନାକୁ ନେଇ ସଚେତନ କରୁଛନ୍ତି।କିଭଳି ଏହି ସଂକ୍ରମଣ ଗୋଷ୍ଠୀ ସଂକ୍ରମଣର ରୂପ ନ ନେବ ସେନେଇ ସରପଞ୍ଚ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସରପଞ୍ଚଙ୍କ ଏହିଭଳି କାର୍ଯ୍ୟଦକ୍ଷତା ପାଇଁ ପଞ୍ଚାୟତବାସୀ ତାଙ୍କୁ  ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.