'ଘରେ ରହି ଶବ-ଏ-ବାରାତ ପାଳନ କରନ୍ତୁ ମୁସଲିମ ଧର୍ମାବଲମ୍ବୀ', ପରାମର୍ଶ ଦେଲେ ଶରଦ ପାଓ୍ୱାର

Published By : Prameya-News7 Bureau | April 02, 2020 IST

ମୁମ୍ବାଇ, ୦୨|୦୪:  ଏନସିପି ମୁଖ୍ୟ ଶରଦ ପାଓ୍ୱାର ଶବ-ଏ-ବାରାତକୁ ନେଇ ମୁସଲିମମାନଙ୍କୁ ପରାମର୍ଶ ଦେଇଛନ୍ତି । ମୁସଲମାନମାନେ ନିଜ ଘର ମଧ୍ୟରେ ରହି ଏହାକୁ ପାଳନ କରିବା ପାଇଁ ସେ କହିଛନ୍ତି । ଏହାସହ କରୋନା ଭାଇରସର ପ୍ରକୋପକୁ ଦେଖି ଡ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ସମାରୋହକୁ ସ୍ଥଗିତ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ପାଓ୍ୱାର କହିଛନ୍ତି ଯେ, ଗୁରୁବାର ରାମ ନବମୀ ପାଳନ କରାଯାଉଛି । ଯାହାକୁ ଦେଶ ସାରା ଧୂମଧାମରେ ପାଳନ କରାଯାଏ । କିନ୍ତୁ ଦୁର୍ଭାଗ୍ୟବଶତଃ କରୋନା ପାଇଁ କଟକଣା ମଧ୍ୟରେ ଏହାକୁ ପାଳନ କରାଯାଉଛି । ଜନତା ଘରେ ହିଁ ଶ୍ରୀରାମଙ୍କୁ ପୂଜା କରୁଥିବେ । ଏପ୍ରିଲ ୮ ତାରିଖରେ ମୁସଲମାନମାନେ ଶବ-ଏ-ବାରାତ ପାଳନ କରିବେ । ଯାହାକୁ କ୍ଷମାର ରାତ୍ର ବୋଲି କୁହାଯାଏ । ମୁସଲିମ ପରିବାରର ସଦସ୍ୟ ନିଜ ପରିଜନଙ୍କୁ ମନେପକାଇବା ପାଇଁ ମଶାଣିକୁ ଯାଇଥାନ୍ତି । ଏହି ସମୟରେ ସେମାନେ ଗୋଟିଏ ସ୍ଥାନରେ ଏକତ୍ର ହେଲେ କରୋନା ଭାଇରସ ସଂକ୍ରମଣ ଆଶଙ୍କା ରହିଛି । ସେହିପରି ଦିଲ୍ଲୀର ନିଜାମୁଦ୍ଦୀନରେ ଥିବା ତବଲୀଗୀ ଜମାତର ସମ୍ମିଳନୀକୁ ସ୍ଥଗିତ ରଖାଯାଇ ପାରିଥାନ୍ତା ବୋଲି ସେ କହିଛନ୍ତି । ଏଥିରେ ସାମିଲ ହୋଇଥିବା କିଛି ବ୍ୟକ୍ତି କରୋନାକୁ ଅଣଦେଖା କରିଥିଲେ । କିନ୍ତୁ ଏବେ ଅନ୍ୟମାନେ ଏହାକୁ ଭୋଗୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, କରୋନା ସହ ମିଳିମିଶ ଲଢିବା ଦ୍ୱାରା ଏହାର ପ୍ରକୋପ କମ ହେବ । ୯୦ ପ୍ରତିଶତ ଲୋକ ଲକଡାଉନ ପାଳନ କରୁଥିବା ବେଳେ ମାତ୍ର ୧୦ ପ୍ରତିଶତ ଏହାର ଉଲଙ୍ଘନ କରୁଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.