ବାପାଙ୍କ ସହ କାମ କରିବେ ନାହିଁ ସାରା
Published By : Prameya-News7 Bureau | September 09, 2018 IST
ମୁମ୍ବାଇ ୯/୯:ପ୍ରଥମ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସୈଫ୍ ତନୟା ସାରା ଅଲ୍ଲୀଙ୍କ ନଖରା ବଢ଼ିଗଲା ଭଳି ଲାଗୁଛି। ସେଥିପାଇଁ ବୋଧହୁଏ ସାରା ‘ହିନ୍ଦୀ ମିଡିୟମ୍ ୨’ରେ ବାପା ସୈଫ୍ ଅଲ୍ଲି ଖାନଙ୍କ ସହିତ ଅଭିନୟ କରିପାରିବେ ନାହିଁ ବୋଲି ମନା କରିଦେଲେ। ଇରଫାନ୍ ଖାନ୍ ଅଭିନୀତ ଫିଲ୍ମ ‘ହିନ୍ଦୀ ମିଡିୟମ୍’ର ସିକ୍ବେଲ୍ ପାଇଁ ଏହାର ନିର୍ମାତାମାନେ ରିଅଲତ ଲାଇଫ୍ ବାପା-ଝିଅଙ୍କ ଯୋଡ଼ିକୁ ଗୋଟିଏ ଫିଲ୍ମରେ ଆଣିବା ପାଇଁ ଯୋଜନା କରିଥିଲେ। ସେମାନଙ୍କ ପ୍ରଥମ ପସନ୍ଦ ଥିଲେ ସୈଫ୍ ଓ ସାରା। ଏଥିପାଇଁ ସୈଫ୍ ଓ ସାରାଙ୍କୁ ଅଫର୍ ବି କରାଯାଇଥିଲା। ସାରାଙ୍କ ପାଇଁ ପ୍ରାଇସ୍ ମଧ୍ୟ କିଛି କମ୍ ଧାର୍ଯ୍ୟ କରାଯାଇନଥିଲା। ସାଇନ୍ କରିନଥିଲେ ବି ଏହି ଫିଲ୍ମରେ ଅଭିନୟ କରିବେ ବୋଲି ଦୁହେଁ ରାଜି ହୋଇଯାଇଥିଲେ। କିନ୍ତୁ ଏବେ ଏହି ପ୍ରୋଜେକ୍ଟରୁ ସାରା ଓହରି ଯାଇଛନ୍ତି ବୋଲି ଶୁଣିବାକୁ ମିଳିଛି। କାରଣ ସେ ନିଜ ଡେଟସ୍ ଅନ୍ୟ ଜଣେ ପ୍ରଯୋଜକଙ୍କୁ ଦେଇଛନ୍ତି। ଏତିକିରେ କଥା ସରିନି। ଝିଅ ମନା କରିଦେବାରୁ ସୈଫ୍ ମଧ୍ୟ କୁଆଡ଼େ ଏହି ପ୍ରୋଜେକ୍ଟରୁ ବାହାରି ଆସିଛନ୍ତି ବୋଲି ଶୁଣିବାକୁ ମିଳିଛି। ସୈଫ୍ ଏହି ଫିଲ୍ମ କରିବାକୁ ଏଇଥିପାଇଁ ଚାହୁଁଥିଲେ କାରଣ ଏଥିରେ ସାରା ମଧ୍ୟ ତାଙ୍କ ସହିତ ସ୍କ୍ରିନ୍ ଶେୟାର କରିଥାଆନ୍ତେ।