ବାରଣାସୀ ମନ୍ଦିରରେ ପ୍ରବେଶ କରି ଅଡୁଆରେ ସାରା ଅଲୀ ଖାନ, କାର୍ଯ୍ୟାନୁଷ୍ଠାନ ଦାବି କଲା ଅସନ୍ତୁଷ୍ଟ ସମିତି
17/03/2020 at 7:57 PM

ବାରଣାସୀ ୧୭।୦୩: ବଲିଉଡ୍ ଅଭିନେତ୍ରୀ ସାରା ଅଲୀ ଖାନ ନିଜର ଆଗାମୀ ଫିଲ୍ମ ‘ଅନ୍ତରଙ୍ଗୀ ରେ’ ରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ସାରାଙ୍କ ସହିତ ଧନୁଷ ଓ ଅକ୍ଷୟ କୁମାର ନଜର ଆସିବେ। ଏହାର ସୁଟିଂ ପାଇଁ ସାରା ବାରଣାସୀ ପହଞ୍ଚିଥିଲେ। ବାରଣାସୀରେ ସାରାଙ୍କ ଭିଡିଓ ଖୁବ୍ ଭାଇରାଲ ମଧ୍ୟ ହେଉଥିଲା। ଏବେ ସାରାଙ୍କ ବାରଣାସୀ ଯାତ୍ରା ବିବାଦ ଘେରରେ ରହିଛି।
ସାରା ଅଲୀ ଖାନ ବାରଣାସୀ ଆସିବାରୁ ସ୍ଥାନୀୟ ପଣ୍ଡିତ ଓ କାଶୀ ବିକାଶ ସମିତି ଅସନ୍ତୁଷ୍ଟ ବ୍ୟକ୍ତ କରିଛି। ସମିତି ଆପତ୍ତି ପ୍ରକାଶ କରି କହିଛି ଯେ, ସାରା ଅଲୀ ଖାନ ହିନ୍ଦୁ ନୁହନ୍ତି। ଅଭିନେତ୍ରୀ ମନ୍ଦିରରେ ଦର୍ଶନ କରିବା ପରମ୍ପରାକୁ ଉଲ୍ଲଂଘନ କରିଛି। ଏଥିରେ ମନ୍ଦିରର ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠୁଛି। କାରଣ ମନ୍ଦିର ବାହାରେ ଲାଗିଥିବା ବୋର୍ଡର ସ୍ପଷ୍ଟ ଭାବେ ଲେଖା ହୋଇଛି ଯେ, ଅଣ ହିନ୍ଦୁଙ୍କ ମନ୍ଦିର ପ୍ରବେଶ ବର୍ଜିତ ଅଟେ।
ଏହା ବ୍ୟତୀତ ସମିତିର କହିବା କଥା ସାରା ଅଲୀ ଖାନ ଲୋକ ଦେଖାଣିଆ ଦକ୍ଷିଣା ଦେଇଛନ୍ତି ଏବଂ ନିଜର ଭଲ ପ୍ରଚାର କରିଛନ୍ତି। କାଶୀ ବିକାଶ ସମିତି ଏହି ଘଟଣାରେ ତଦନ୍ତ ଦାବି କରିଛି ଏବଂ ଆରୋପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଅନ୍ୟପଟେ ଅନ୍ୟ ଏକ ପୂଜାରୀ ଅମରନାଥ ବାଜପେୟୀ ସାରାଙ୍କ ସପକ୍ଷରେ କହିଛନ୍ତି ଯେ, ସାରାଙ୍କ ସହିତ ତାଙ୍କ ମାତା ଅମୃତା ସିଂହ ମଧ୍ୟ ଉପସ୍ଥିତ ଥିଲେ ଯିଏ ଜଣେ ହିନ୍ଦୁ। ଅନ୍ୟ ପୂଜାରୀ ରାକେଶ ମିଶ୍ର କହିଛନ୍ତି ଆମେ ତାଙ୍କର ହିନ୍ଦୁ ରୀତି-ନୀତି ପ୍ରତି ଆକର୍ଷିତ ହେବାକୁ ସମ୍ମାନ କରୁଛୁ। ମାତ୍ର ସତ୍ୟ ଏହା ଯେ ସେ ଜଣେ ମୁସଲିମ। ଏହି ହିସାବରେ ସେ ଆମ ପରମ୍ପରାର ଅଂଶ ହୋଇ ପାରିବେ ନାହିଁ।