ବର୍ଷର ପ୍ରଥମ ଏକାଦଶୀ: ଜାଣନ୍ତୁ ସଫଳା ଏକାଦଶୀର ପୂଜା ବିଧି ଓ ମହତ୍ତ୍ୱ
9/01/2021 at 11:41 AM

ଭୁବନେଶ୍ୱର ୦୯/୦୧ : ଚଳିତ ବର୍ଷ ଜାନୁଆରୀ ୯ ତାରିଖରେ ଏକାଦଶୀ ପଡୁଛି। ପୌଷ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିକୁ ସଫଳା ଏକାଦଶୀ କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ସଫଳା ଏକାଦଶୀ ଦିନ ବିଧି ବିଧାନ ଅନୁଯାୟୀ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଏହି ଦିନ ବିଧି ବିଧାନ ଅନୁଯାୟୀ ବ୍ରତ ପାଳନ କଲେ ମନୋସ୍କାମନା ପୂରଣ ହୁଏ ବୋଲି କୁହାଯାଏ। ଶାସ୍ତ୍ରରେ ଏକାଦଶୀ ବ୍ରତର ନିୟମ ରହିଛି। ଏକାଦଶୀ ଦିନ କିଛି ବିଶେଷ କାର୍ଯ୍ୟ କରିବା ଉଚିତ ନୁହେଁ। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ ୫ ହଜାର ବର୍ଷ ତପ କଲେ ଯେଉଁ ଫଳ ପ୍ରାପ୍ତ ହୁଏ ତାହା ସଫଳା ଏକାଦଶୀ ବ୍ରତ ପାଳନ କଲେ ପ୍ରାପ୍ତ ହୋଇଥାଏ।
ଏକାଦଶୀର ସଫଳ ମହୂର୍ତ୍ତ :
ଏକାଦଶୀର ଶୁଭ ଆରମ୍ଭ ମୁହୂର୍ତ୍ତ – ଜାନୁଆରୀ ୮ ତାରିଖ ରାତି ୯ଟା ୪୦ ମିନିଟ
ଏକାଦଶୀର ସମାପ୍ତ ତିଥି – ଜାନୁଆରୀ ୯ ତାରିଖ ସନ୍ଧ୍ୟା ୭ଟା ୧୭ ମିନିଟ

ସଫଳା ଏକାଦଶୀ ବ୍ରତ ପାଳନ ବିଧି –
– ସଫଳା ଏକାଦଶୀ ଦିନ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ
– ଏହାପରେ ବ୍ରତ ପୂଜନ ସଂକଳ୍ପ ନିଅନ୍ତୁ
– ବିଧି ବିଧାନ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ
– ଧୂପ, ଦୀପ, ଫଳ ଓ ପଞ୍ଚାମୃତ ଅର୍ପଣ କରନ୍ତୁ
– ଭଗବାନ ବିଷ୍ଣୁଙ୍କୁ ଗୁଆ, ନଡ଼ିଆ, ଅଁଳା ଓ ଲବଙ୍ଗ ଅର୍ପଣ କରନ୍ତୁ
– ଆଗାମୀ ଦିନ ଦ୍ୱାଦଶୀରେ ବ୍ରତ ସମାପନ କରନ୍ତୁ
– ଗରିବଙ୍କୁ ଦାନ ଦକ୍ଷିଣା ଦିଅନ୍ତୁ

ସଫଳା ଏକାଦଶୀ ଦିନ ଭୁଲରେ ବି ଏହିସବୁ କାମ କରନ୍ତୁନି :
– ଶାସ୍ତ୍ରରେ ସମସ୍ତ ଏକାଦଶୀରେ ଅନ୍ନ ଭୋଜନ କରିବାକୁ ବାରଣ କରାଯାଇଛି।
– ଏକାଦଶୀ ଦିନ ଅନ୍ନ ଭୋଜନ କଲେ ମଣିଷ ପରବର୍ତ୍ତୀ ଜନ୍ମରେ ସରୀସୃପ ଜନ୍ମ ନେଇଥାଏ ବୋଲି କୁହାଯାଏ। ଏକାଦଶୀ ଦିନ ଭୁଲରେ ବି ଅନ୍ନ ସେବନ କରିବା ଉଚିତ ନାହିଁ।
– ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା ସହ ଖାଇବା-ପିଇବା, ବ୍ୟବହାର ଓ ସାତ୍ୱିକତା ପାଳନ କରିବା ଉଚିତ।
– ଏକାଦଶୀ ଦିନ ସ୍ୱାମୀ-ସ୍ତ୍ରୀ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଉଚିତ।
– ଏକାଦଶୀର ଲାଭ ପାଇବାକୁ ବ୍ୟକ୍ତିକୁ ଏହିଦିନ କଠୋର ଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ ଏବଂ ଝଗଡ଼ାଝାଟିରୁ ଦୁରେଇ ରହିବା ଆବଶ୍ୟକ।
– ଏକାଦଶୀ ଦିନ ସକାଳୁ ଶୀଘ୍ର ଉଠିବା ଉଚିତ ଏବଂ ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ।

ସଫଳା ଏକାଦଶୀ କରନ୍ତୁ ଏହିସବୁ କାମ :
– ଏକାଦଶୀ ଦିନ ଦାନ କରିବା ଉଚିତ
– ଏକାଦଶୀ ଦିନ ଯଦି ସମ୍ଭବ ଗଙ୍ଗା ସ୍ନାନ କରିବା ଉଚିତ
– ବିବାହ ସମ୍ବନ୍ଧିତ ବାଧା ଦୂର କରିବାକୁ ଏକାଦଶୀ ଦିନ କେଶର, କଦଳୀ କିମ୍ବା ହଳଦୀ ଦାନ କରିବା ଉଚିତ
– ଏକାଦଶୀ ଉପବାସ ରଖିଲେ ଧନ, ମନ-ସମ୍ମାନ ଓ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ। ଏହାସହ ମନୋବାଞ୍ଚିତ ଫଳ ମଧ୍ୟ ମିଳିଥାଏ
– ଏକାଦଶୀ ବ୍ରତ ପାଳନ କଲେ ପୂର୍ବଜଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି