ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

Published By : Prameya-News7 Bureau | December 30, 2020 IST

ଭୁବନେଶ୍ୱର ୩୦।୧୨: ଓଲିଉଡ଼ ଜଗତ ପାଇଁ ଆଉ ଏକ ଦୁଃଖଦ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଶାନ୍ତନୁ ମହାପାତ୍ରଙ୍କ ପରଲୋକ ଘଟିଛି। ଗତ କିଛି ଦିନ ହେଲା ନିମୋନିଆରେ ପୀଡିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ୮୨ ବର୍ଷ ବୟସରେ ଆଖିବୁଜିଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ଅନେକ ଓଡିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ।

ବାରିପଦାରେ ଜନ୍ମିତ ଏହି ପ୍ରତିଭା ଜଣେ ଜିଓଫିଜିଷ୍ଟ ଥିଲେ। ଆଇଆଇଟି ଖଡ଼ଗପୁରରୁ ପାସ୍‌ କରିବା ପରେ ଓଡ଼ିଶା ମାଇନିଂ କର୍ପୋରେସନ୍‌ରେ ଚାକିରି କରିଥିଲେ। କିନ୍ତୁ କେବେବି ସଙ୍ଗୀତକୁ ଛାଡ଼ି ନାହାନ୍ତି । ପାଖାପାଖି ୧୯୦୦ ଗୀତର ସଂଯୋଜନା କରିଛନ୍ତି। ସେଥିରେ ୫୩ଟି ଫିଚର୍‌ ଓ ଟେଲି ଫିଲ୍ମ, ୧୦ ଯାତ୍ରା, ୬୦ ଆକାଶବାଣୀ ନାଟକ, ୧୦ ନୃତ୍ୟନାଟିକା ରହିଛି। ତାଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଗୀତ ମଧ୍ୟରେ ‘ସେଇ ଚୁନା ଚୁନା’, ‘ମୟୂରୀ ଗୋ’, ‘ମୁଁ ତ ଥିଲି ଏକୁଟିଆ’, ‘ଏଇ ଜୀବନଟା ଏକ ନାଟକ’, ‘ଆଗୋ ଚନ୍ଦ୍ରିକା’ ଓ ‘ନୂପୂର ବଜାଏ କିଏ’ ଆଦି ଅନ୍ୟତମ । ସଙ୍ଗୀତ ଜଗତକୁ ଅନବଦ୍ୟ ଅବଦାନ ଲାଗି ତାଙ୍କୁ ୨୦୧୧ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଲିଟ୍‌ ସମ୍ମାନରେ ସମ୍ମାନିତ କରାଯାଇଛି।

ଶ୍ରୀ ମହାପାତ୍ର ଓଡ଼ିଆ ସିନେମା ଜଗତରେ ସଙ୍ଗୀତ ଜଗତରେ ଟ୍ରେଣ୍ଡ୍‌ ସେଟର୍‌ ଥିଲେ । ଆଜି ପର୍ଯ୍ୟନ୍ତ ସଦାସର୍ବଦା ସଙ୍ଗୀତ ସାଧନାରେ ଲିପ୍ତ ରହିଆସିଥିଲେ। ଯେତେବେଳେ ସମୟ ପାଉଥିଲେ ହାର୍‌ମୋନିୟମ୍‌ ଧରି ସ୍ୱର ସଂଯୋଜନା କରିବାରେ ନ୍ୟସ୍ତ ରହୁଥିଲେ। ଏପରିକି ବଲିଉଡର ମହମ୍ମଦ ରଫିଙ୍କଠାରୁ ଆରମ୍ଭ କରି ଲତା ମଙ୍ଗେସକର, ଉଷା ମଙ୍ଗେସକର, ମାନ୍ନା ଦେ, ସୁରେଶ ୱାଡ଼େକର, ଅନୁରାଧା ପୌଡ଼ୱାଲ, ଉଷା ଉଥୁପ, କବିତା କ୍ରିଷ୍ଣାମୂତ୍ତିଙ୍କ ପର୍ଯ୍ୟନ୍ତ ଅନେକଙ୍କ କଣ୍ଠଶିଳ୍ପୀଙ୍କ ସହ ସେ ଓଡ଼ିଆ ଗୀତ ଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.