ରବ୍ଦ ହେବନି ସାଂସଦଙ୍କ ନିଲମ୍ବନ ନିଷ୍ପତ୍ତି, ବିରୋଧିଙ୍କ ଅନୁରୋଧକୁ ଖାରଜ କଲେ ଉପରାଷ୍ଟ୍ରପତି

Published By : Prameya-News7 Bureau | November 30, 2021 IST

ନୂଆଦିଲ୍ଲୀ,୩୦/୧୧:   ସଂସଦର ମର୍ଯ୍ୟାଦା ହନନ ପାଇଁ ରାଜ୍ୟସଭାର ୧୨ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ତେବେ ମଙ୍ଗଳବାର ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଏମ ଭେଙ୍କୈୟା ନାଇଡୁ ସାଂସଦଙ୍କ ନିଲମ୍ବନ ରବ୍ଦ କରିବା ନେଇ ବିରୋଧିଙ୍କ ଅନୁରୋଧକୁ ଖାରଜ କରିଦେଇଛନ୍ତି ।

ରାଜ୍ୟସଭା ସଭାପତି କହିଛନ୍ତି ଯେ, ଗତ ଅଧିବେଶନର ଅନୁଭବ ଏବେବି ସମସ୍ତଙ୍କର ମନରେ ଅଛି । ଏହାକୁ ନେଇ ଲୋକସଭାରେ କଂଗ୍ରେସ ସାଂସଦ ଅଧିରଞ୍ଜନ ଚୌଧରୀ କହିଛନ୍ତି ଯେ, ଏଠାରେ ଜମିଦାରି କିମ୍ବା ରାଜତନ୍ତ୍ର ଚାଲିନି । ତେଣୁ ସେମାନେ ସବୁ କଥାରେ ସରକାରଙ୍କ ଗୋଡ ଧରି ଭୁଲ ମାଗିପାରିବେ ନାହିଁ ।

ଅଧିରଞ୍ଜନ ଆହୁରି କହିଛନ୍ତି ଯେ, ସରକାର ଜବରଦସ୍ତି ଭୁଲ ମାଗିବାକୁ କହୁଛନ୍ତି । ଏହା ବହୁମତର ଅପପ୍ରୟୋଗ ଅଟେ । ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ନିଲମ୍ବନ କାରଣରୁ ଗୃହକାର୍ଯ୍ୟକୁ ବୟକଟ୍ କରିଛନ୍ତି । ବିରୋଧିଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ ହେଉଛି । ନିଲମ୍ବନ କରିଆରେ ଡରାଇବା ପାଇଁ ଚେଷ୍ଟା କରାଯାଉଛି ।ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, କିଛି କ୍ଷମା ପ୍ରାର୍ଥନା କରାଯିବ ନାହିଁ ।ସଂସଦରେ ଜନତାଙ୍କ କଥା ଉଠାଇବା ଭୁଲ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଦଳର ୧୨ ସାଂସଦ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଏହି ୧୨ ସାଂସଦଙ୍କୁ ପୁରା ଅଧିବେଶନରୁ ନିଲମ୍ବିତ କରାଯାଇଛି। ଏଥିରେ କଂଗ୍ରେସର ଛଅ, ଟିଏମସି ଓ ଶିବସେନାର ଦୁଇ ଦୁଇ ଜଣ ସାଂସଦ ଥିବା ବେଳେ ସିପିଏମ ଓ ସିପିଆଇର ଜଣେ ଲେଖାଏଁ ସାଂସଦ ସାମିଲ୍ ରହିଛନ୍ତି। ଏମାନେ ହେଉଛନ୍ତି ସେହି ସାଂସଦ ଯେଉଁମାନେ ଗତ ଅଧିବେଶନରେ କୃଷକ ଆନ୍ଦୋଳନ ଏବଂ ଅନେକ ପ୍ରସଙ୍ଗରେ ସଂସଦର ଉଚ୍ଚ ସଦନରେ ଖୁବ୍ ହଙ୍ଗାମା କରିଥିଲେ। ଏହି ସମୟରେ ସାଂସଦମାନେ ଉପ ସଭାପତି ହରିବଂଶଙ୍କ ଉପରକୁ କାଗଜ ଫିଙ୍ଗିଥିଲେ ଏବଂ ଟେବୁଲ୍ ଉପରେ ଚଢି ଉତ୍ପାତ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.