ରାମ ମନ୍ଦିର ଭୂମିପୂଜନରେ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରିନଥିବା ନେଇ ଜୋର ଧରିଛି ରାଜନୀତି : ଦଳିତଙ୍କ ଅପମାନ ବୋଲି କହିଲେ BSP-AAP ନେତା

Published By : Prameya-News7 Bureau | August 09, 2020 IST

ନୂଆଦିଲ୍ଲୀ ୦୯/୦୮ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି | ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବହୁ ପ୍ରତିକ୍ଷିତ ରାମ ମନ୍ଦିର ଭୂମିପୂଜନ କରିଛନ୍ତି | କିନ୍ତୁ ଭୂମିପୂଜନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆମନ୍ତ୍ରଣ କରାଯାଇନଥିବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି | ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭୂମିପୂଜନର ଆମନ୍ତ୍ରଣ କରାଯାଇନଥିବା ଘଟଣାକୁ ଦଳିତଙ୍କ ଅପମାନ ବୋଲି କହିଛନ୍ତି | ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଭୂମିପୂଜନର ରାଷ୍ଟ୍ରପତିଙ୍କୁ କାହିଁକି ନିମନ୍ତ୍ରଣ ଦିଆଯାଇନଥିଲା, କାରଣ ସେ ଦଳିତ ସମ୍ପ୍ରଦାୟର ? ସଞ୍ଜୟ ସିଂହ କହିଛନ୍ତି, ବିଜେପି ଭୋଟ ବ୍ୟାଙ୍କ ପାଇଁ ଜଣେ ଦଳିତଙ୍କୁ ଦେଶର ରାଷ୍ଟ୍ରପତି କରିପାରେ କିନ୍ତୁ ନିଜର ମାନସିକତା ଯୋଗୁଁ ଦଳିତଙ୍କ ସହିତ ଭୂମିପୂଜନ କରିପାରିବ ନାହିଁ |

ସେ କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ, ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ଆମନ୍ତ୍ରିତ କରାଯାଇଥିଲା କିନ୍ତୁ ରାଷ୍ଟ୍ରପତିଙ୍କୁ ନୁହେଁ | ରାଜ୍ୟପାଳଙ୍କ ଠାରୁ ରାଷ୍ଟ୍ରପତିଙ୍କ ପଦବୀ ଉଚ୍ଚରେ ତଥାପି ତାଙ୍କୁ ଆମନ୍ତ୍ରିତ କରାଗଲା ନାହିଁ | ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇନଥିବା ପ୍ରସଙ୍ଗ ଉଠାଇଛନ୍ତି ସଞ୍ଜୟ ସିଂହ | କେଶବ ପ୍ରସାଦ ମୌର୍ଯ୍ୟ ଭୂମିପୂଜନରେ ଉପସ୍ଥିତ ଥିଲେ | ଏନେଇ ସଞ୍ଜୟ ସିଂହ କହିଛନ୍ତି କେଶବ ପ୍ରସାଦ ମୌର୍ଯ୍ୟ ଭୂମିପୂଜନ ସମୟରେ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ କାହିଁକି ନଥିଲେ | ମଣ୍ଡପରେ ବହୁତ ଲୋକ ଉପସ୍ଥିତ ଥିଲେ କିନ୍ତୁ ମୋଦି କିମ୍ବା ଯୋଗୀଙ୍କ ସହିତ ତାଙ୍କର ଗୋଟିଏ ହେଲେ ଫଟୋ ନାହିଁ |

ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ମଧ୍ୟ ଭୂମିପୂଜନରେ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରାଯାଇନଥିବା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି | ସେ କହିଛନ୍ତି ରାମ ମନ୍ଦିର ଭୂମିପୂଜନ ସମୟରେ ପ୍ରଧାନମନ୍ତ୍ରୀ ଦଳିତ ସମ୍ପ୍ରଦାୟ ସହ ଜଡିତ ରାଷ୍ଟ୍ରପତିଙ୍କୁ ମଧ୍ୟ ନିଜ ସହିତ ନେଇଯାଇଥିଲେ ଭଲ ହୋଇଥାନ୍ତା | କିଛି ଦଳିତ ସନ୍ଥ ମଧ୍ୟ କହିଛନ୍ତି ଯେ ଭୂମିପୂଜନରେ ସେମାନଙ୍କୁ ଆମନ୍ତ୍ରଣ କରାଯାଇନାହିଁ | ସେମାନଙ୍କୁ ଆମନ୍ତ୍ରଣ ନ କଲେ ମଧ୍ୟ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରିଥିଲେ ସମାଜ ପ୍ରତି ଭଲ ସନ୍ଦେଶ ହୋଇଥାନ୍ତା ବୋଲି ମାୟାବତୀ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.